ମାର୍ଚ୍ଚ ୨୭ରୁ ଆରମ୍ଭ ଅନ୍ତର୍ଜାତୀୟ ବିମାନ ସେବା: କିନ୍ତୁ ମାନିବାକୁ ପଡ଼ିବ ଏହି ସବୁ ନିୟମ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ଖସିବାକୁ ଲାଗିଛି । ପୁଣି ଥରେ ସ୍ଵାଭାବିକ ହେବାରେ ଲାଗିଛି ଜନଜୀବନ। ଏହାସହ ସରକାର କରୋନା କଟକଣା କୋହଳ କରିଛନ୍ତି । ଏହାରି ମଧ୍ୟରେ ପୁଣି ଥରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ୨୭ ଅର୍ଥାତ ରବିବାରଠୁ ଏହି ସେବା ପୁନର୍ବାର ଆରମ୍ଭ ହେବ । ତେବେ ଯାତ୍ରା ସମୟରେ କୋଭିଡ୍ ନିୟମ ପାଳନ କରିବାକୁ ହେବ ।

ସୂଚନାନୁସାରେ, କରୋନା କାରଣରୁ ଗତ ୨ ବର୍ଷ ହେଲା ଅନ୍ତରାଷ୍ଟ୍ରୀୟ ଉଡାଣ ବନ୍ଦ ରହିଛି । କିନ୍ତୁ ମାର୍ଚ୍ଚ ୨୭ରୁ ଏହି କଟକଣା ଶେଷ ହୋଇଯିବ । ସମସ୍ତ ଦିଗକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଯାତ୍ରୀଙ୍କୁ କିଛିଟା ନିୟମ ଉପରେ ଧ୍ୟାନ ରଖିବାକୁ ହେବ ।

କଣ ରହିଛି ନୂଆ ଗାଇଡଲାଇନ୍ସ ଆସନ୍ତୁ ଜାଣିବା,

ଏବେ ତିନୋଟି ସିଟ୍ ଖାଲି ରଖିବା ନେଇ ପୂର୍ବରୁ ଥିବା ଗାଇଡଲାଇନକୁ ହଟାଇ ଦିଆଯାଇଛି ।

ବିମାନ କର୍ମଚାରୀ ଏବେ ପିପିଇ କିଟ୍ ପିନ୍ଧିବା ଆବଶ୍ୟକ ନାହିଁ ।

ତେବେ ଯାତ୍ରୀମାନେ ମାସ୍କ ପିନ୍ଧିବା ଜରୁରୀ ।

ସୂଚନାଯୋଗ୍ୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ କହିଥିଲେ ଯେ, ଆସନ୍ତା ଦୁଇ ମାସରେ ଏୟାରଲାଇନ୍ ଟ୍ରାଫିକ୍ ପ୍ରି କୋଭିଡ୍ ସ୍ତରରେ ପହଁଚିବ । ସମସ୍ତ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା ଜାରି ରହିଛି । ପୂର୍ବ ଭଳି ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ହେବ ବୋଲି ସେ ସୂଚନା ଦେଇଥିଲେ ।

Related Posts