ବିଶ୍ୱକପ୍ ଅଧାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଇଞ୍ଜମାମ୍‌ ଉଲ୍ ହକ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ପୂର୍ବତନ କ୍ୟାପ୍ଟେନ୍ ଇଞ୍ଜମାମ ଉଲ୍‌ ହକ୍। ବିଶ୍ୱକପ୍‌ ୨୦୨୩ରେ ଟିମ୍‌ର ଲଗାତର ଖରାପ ପ୍ରଦର୍ଶନ ଯୋଗୁ ଦଳ ଓ ଚୟନ କର୍ତ୍ତା ସମାଲୋଚନାର ଶିକାର ହେବା ପରେ ଇଞ୍ଜମାମ୍ ବିଶ୍ୱକପ୍ ଅଧାରୁ ଇସ୍ତଫା ଦେଇଥିବା କୁହାଯାଉଛି। ଭାରତରେ ହେଉଥିବା ଚଳିତ ବିଶ୍ୱକପ୍‌ରେ ଲଗାତର ଭାବେ ଖରାପ ପ୍ରଦର୍ଶନ କରି ଆସୁଛି ପାକିସ୍ତାନ। ଏନେଇ ପାକିସ୍ତାନରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ କ୍ରିକେଟରମାନେ ମଧ୍ୟ ଟିମ୍‌କୁ ତୀବ୍ର ସମାଲୋଚନା କରୁଛନ୍ତି।

କେହି ବାବରଙ୍କ ଅଧିନାୟକତ୍ଵକୁ ଦାୟୀ କରୁଥିବା ବେଳେ କେହି ଚୟନ କର୍ତ୍ତାଙ୍କୁ ଦାୟୀ କରୁଛନ୍ତି। ନାନା ସମାଲଚୋନା ପରେ ଇଞ୍ଜମାମ୍‌ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି। ସୋମବାର ଇଞ୍ଜମାମ ତାଙ୍କ ଇସ୍ତଫାପତ୍ର ପିସିବି ମୁଖ୍ୟ ଜାକା ଅଶ୍ରଫଙ୍କୁ ପଠାଇ ଦେଇଛନ୍ତି।

ଚଳିତ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନର ଆରମ୍ଭରୁ ବିଜୟ ହୋଇଥିଲା। ଦଳ ପ୍ରଥମେ ନେଦରଲାଣ୍ଡ ପରେ ଶ୍ରୀଲଙ୍କା ବିପକ୍ଷରେ ବିଜୟୀ ହୋଇଥିଲା। ହେଲେ ଅକ୍ଟୋବର ୧୪ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତ ଠାରୁ ହାରିବା ପରେ ପାକିସ୍ତାନରେ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ହାରିଯାଇଥିଲା ପାକିସ୍ତାନ।

ଏହାପରେ ପାକିସ୍ତାନ କ୍ରିକେଟ୍‌ରେ ଉତ୍ତେଜନା ଦେଖା ଦେଇଥିଲେ। ବରିଷ୍ଠ ଖେଳାଳିଙ୍କ ଠାରୁ ଆରମ୍ଭ କରି କ୍ରିକେଟ୍ ପରିବାରର ସମସ୍ତ ସଦସ୍ୟ ନିନ୍ଦା କରିଥିଲେ। ବିଶ୍ୱକପ୍‌ ପରେ ବାବରଙ୍କ ଅଧିନାୟକ ପଦ ବି ସଂକଟରେ ରହିଛି।

Related Posts