ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୪ ରେ ସାରା ରାଜ୍ୟରେ ପାଳନ କରାଯିବ ଜାତୀୟ ପଞ୍ଚାୟତିରାଜ ଦିବସ । ଚଳିତ ବର୍ଷ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ବଲାଙ୍ଗୀର ଜିଲ୍ଲାରେ ଅନୁଷ୍ଠିତ ହେବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ ଏବଂ ଜିଲ୍ଲା ଓ ବ୍ଲକ ସ୍ତରରେ ମଧ୍ୟ ସମାନ ଭାବରେ ଏହି ଦିବସ ପାଳନ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସ୍ଥାନୀୟ କାର୍ଯ୍ୟକ୍ରମଗୁଡ଼ିକରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯିବା ସହ ଜନସାଧାରଣ ଯେପରି ଜାତୀୟ ସ୍ତରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦେଖିପାରିବେ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ । ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଜିଲ୍ଲା ସ୍ତରରେ ୩ ଲକ୍ଷ ଟଙ୍କା ଏବଂ ବ୍ଲକ ସ୍ତରରେ ୨ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି ।