ଋଷିଆକୁ ଡ୍ରୋନ ଓ କ୍ଷେପଣାସ୍ତ୍ର ଦେବ ଇରାନ

ନୂଆଦିଲ୍ଲୀ : ୟୁକ୍ରେନ ଓ ଋଷିଆ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ୟୁକ୍ରେନ ହାରିବା ପାଇଁ ନାରାଜ ଥିବା ବେଳେ, ସେପଟେ ଋଷ ନିଜ ଜିଦ୍ ରେ ଅଟଳ ରହିଛି । ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି। ତେବେ ଏହାରି ମଧ୍ୟରେ ଯୁଦ୍ଧ ଆଗକୁ ଆହୁରି ତୀବ୍ରତର ହେବା ନେଇ ଆଶଂକା ଦେଖାଦେଇଛି ।

ଇରାନ ମସ୍କୋକୁ ଅସ୍ତ୍ରଶସ୍ତ୍ର ପଠାଉଛି। ଋଷିଆକୁ ଅଧିକ ଡ୍ରୋନ ଓ କ୍ଷେପଣାସ୍ତ୍ର ଦେବା ଲାଗି ଇରାନ ପ୍ରତିଶ୍ରୁତି ଦେଇଛି। ନ୍ୟୁଜ ଏଜେନ୍ସୀ ରିପୋର୍ଟ ଅନୁସାରେ ଏ ନେଇ ଅକ୍ଟୋବର ୬ ତାରିଖ ଦିନ ବୁଝାମଣା ନେଇ ସହମତି ହୋଇଛି। ଏଥିଲାଗି ଇରାନ ଉପରାଷ୍ଟ୍ରପତି ମହମ୍ମଦ ମୋଖବର, ରିଭଲ୍ୟୁସନାରୀ ଗାର୍ଡର ୨ ଅଧିକାରୀ ଓ ସର୍ବୋଚ୍ଚ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଜନୈକ ଅଧିକାରୀ ଋଷିଆ ଗସ୍ତ କରିଥିଲେ ଓ ଅସ୍ତ୍ରଶସ୍ତ୍ର ଡେଲିଭରି ନିମନ୍ତେ ମସ୍କୋ ସହିତ ଆଲୋଚନା କରିଥିଲେ।

ଏହି ଯାତ୍ରା ସମ୍ପର୍କରେ ସୂଚନା ଦେଇଥିବା ଇରାନୀ କୂଟନୀତିଜ୍ଞଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ଋଷିଆ ଆଉ ଅଧିକ ଡ୍ରୋନ ଓ ଅଧିକ ସଠିକତା ସହିତ ଇରାନୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ସମ୍ପର୍କରେ ଆଲୋଚନା କରିଥିଲା। ଯେଉଁଥିରେ ଫତେହ ଓ ଜୋଲଫାଘର କ୍ଷେପଣାସ୍ତ୍ର ନେଇ ଆଲୋଚନା ହୋଇଥିଲା। ରିପୋର୍ଟ ଅନୁସାରେ ଅସ୍ତ୍ରଶସ୍ତ୍ର ଯୋଗାଣ ଖୁବ୍ ଶୀଘ୍ର ଦୁଇରୁ ୩ ସିପ୍ଟରେ କରାଯିବ। ଏଥି ଲାଗି ସର୍ବାଧିକ ୧୦ ଦିନ ସମୟ ଲାଗିବ ।

ଇରାନ ଦ୍ୱାରା ଯୋଗାଇ ଦିଆଯାଉଥିବା ଡ୍ରୋନ ମଧ୍ୟରୁ ଗୋଟିଏ ହେଉଛି ଶହିଦ-୧୩୬ ଡେଲ୍ଟା ଡେଣାର ଅସ୍ତ୍ର ,ଯାହାକୁ କାମିକାଜ ଡ୍ରୋନ ଭଳି ବ୍ୟବହାର ହୋଇପାରିବ ଓ ଏହା ବିମାନ ଭଳି ଏୟାର ଟୁ ସର୍ଫେସ ଆକ୍ରମଣ କରିବ। ସେହିପରି ସ୍ୱଳ୍ପଦୂରତାରେ ଲକ୍ଷ ସନ୍ଧାନ କରିପାରୁଥିବା ଫତେହ ୧୧୦ ଓ ଜୋଲଫାଘର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ରହିଛି, ଯେଉଁ ଗୁଡିକ ୩୦୦ କିଲୋମିଟରରୁ ୭୦୦ କିଲୋମିଟର ଦୂରତାରେ ଲକ୍ଷ ସନ୍ଧାନ କରିବାରେ ସକ୍ଷମ।

ରିପୋର୍ଟ ଅନୁସାରେ ଜନୈକ ଇୟୁରୋପୀୟ କୂଟନୀତିଜ୍ଞ ତାଙ୍କ ଦେଶର ଆକଳନ ସମ୍ପର୍କରେ କହିଛନ୍ତି ଯେ ଋଷିଆ ଉପରେ କଟକଣା ଲାଗି ଏବେ ତାକୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା କଠିନ ହୋଇପଡୁଛି। ଏଣୁ ସେ ଇରାନ ଓ ଉତ୍ତରକୋରିଆ ପରି ସହଯୋଗୀଙ୍କ ଠାରୁ ଆମଦାନୀ କରୁଛି। ନିକଟରେ ଋଷିଆ ୟୁକ୍ରେନରେ ଇରାନ ନିର୍ମିତ ଶହିଦ-୧୩୬ଡ୍ରୋନ ଦ୍ୱାରା ଆକ୍ରମଣ କରିଥିଲା। ତେବେ ଋଷିଆକୁ ଡ୍ରୋନ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ଅଭିଯୋଗକୁ ଇରାନ ବୈଦେଶିକ ମନ୍ତ୍ରାଳୟ ଖାରଜ କରିଦେଇଥିଲା। ସେହିପରି କ୍ରେମଲିନ ମଧ୍ୟ ଇରାନ ନିର୍ମିତ ଡ୍ରୋନରେ ଆକ୍ରମଣ ଅଭିଯୋଗକୁ ଅଗ୍ରାହ୍ୟ କରିଥିଲା।

ଅନ୍ୟ ଏକ ରିପୋର୍ଟରେ ଆମେରିକୀୟ ଗୁଇନ୍ଦା ଅଧିକାରୀମାନେ କହିଛନ୍ତି ଯେ ଋଷିୟ ମିଲେଟ୍ରିକୁ ଇରାନ ନିର୍ମିତ ଡ୍ରୋନର ବ୍ୟବହାର ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ଇରାନରୁ ପ୍ରଶିକ୍ଷକ କ୍ରିମିଆ ଆସୁଛନ୍ତି। ମସ୍କୋ ଏବେ ୟୁକ୍ରେନ ଉପରେ ଇରାନ ନିର୍ମିତ ଡ୍ରୋନ ଦ୍ୱାରା ଆକ୍ରମଣ କରୁଛି, ଯାହା ବ୍ୟାପକ କ୍ଷୟକ୍ଷତି କରୁଥିବା ଜଣାପଡିଛି। ଏହି ଡ୍ରୋନ ଗୁଡିକ କ୍ରିମିୟାରୁ ଲଞ୍ଚ ହେଉଥିବା ବେଳେ ୟୁକ୍ରେନିୟ ସହର ଓ ଶକ୍ତି ପ୍ରକଳ୍ପଗୁଡିକୁ ଟାର୍ଗେଟ କରୁଛି।

ତେହେରାନ ଓ ମସ୍କୋ ଦିନକୁ ଦିନ ନିକଟତର ହେଉଥିବାର ସୂଚନା ହେଉଛି ଏହି ଡ୍ରୋନ। ଆମେରିକା ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଉପମୁଖପାତ୍ର ବେଦାନ୍ତ ପଟେଲ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଏହାକୁ ଏକ ଗୁରୁତର ସଂକଟ ଭାବେ ବିବେଚନା କରିଛନ୍ତି। ସେହିପରି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ଏହି ପ୍ରସଙ୍ଗ ଆଲୋଚନା କରିବାକୁ ଯୋଜାନା କରିଛନ୍ତି। ଏହି ଦେଶମାନେ ଇରାନ ନିର୍ମିତ ଡ୍ରୋନ ଋଷିଆକୁ ହସ୍ତାନ୍ତର କରିବା ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ୨୨୩୧ର ଉଲ୍ଲଂଘନ। ଯାହା ଅନୁଯାୟୀ ଇରାନକୁ ନିର୍ଦ୍ଧିଷ୍ଟ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର ଉପରେ କଟକଣା ରହିଛି ବୋଲି କୁହାଯାଇଛି।

Related Posts