ରାଜ୍ୟରେ ଜଳସେଚନର ସ୍ଥିତି ଚିନ୍ତାଜନକ : ଖରିଫରେ ୪୫.୬%, ରବିରେ ୨୧.୪% ହେଉଛି ଜଳସେଚନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସରକାର ମଧ୍ୟ ମରୁଡ଼ି ଘୋଷଣା କରିବାକୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଦେଇଛନ୍ତି । ଏହି ସମୟରେ ରାଜ୍ୟରେ ଜଳ ସେଚନ ସ୍ଥିତିକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି। ତେବେ ଜଳସେଚନକୁ ନେଇ ବାସ୍ତବ ସ୍ଥିତି ହେଉଛି ଖରିଫ୍‌ ଋତୁରେ ୪୫.୬ ପ୍ରତିଶତ, ରବି ଋତୁରେ ମାତ୍ର ୨୧.୪ ପ୍ରତିଶତ ଜଳସେଚନ ହୋଇପାରୁଛି।

ନିଅଣ୍ଟିଆ ବର୍ଷା ସାଙ୍ଗକୁ ଜଳସେଚନ ସୁବିଧା ନଥିବା କାରଣରୁ ୧ ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଲାଣି । ଚାଷୀ କ୍ଷତିଗ୍ରସ୍ତ ହେବା ସହିତ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ବୃହତ ଜଳ ପ୍ରକଳ୍ପଠାରୁ ଆରମ୍ଭ କରି କ୍ଷୁଦ୍ର ଜଳସେଚନ, ଉଠାଜଳସେଚନ ପର୍ଯ୍ୟନ୍ତ ଜଳସେଚନର ଯେତିକି କ୍ଷମତା ରହିଥିବା ଦେଖାଯାଉଛି; ସେତିକି ମଧ୍ୟ ଜମି ଜଳସେଚିତ ହୋଇ ପାରୁନଥିବା ଅଭିଯୋଗ ହେଉଛି। ତେଣୁ ବର୍ଷା ନହେଲେ ଚାଷୀ କମ୍‌ ପାଣିର ଆବଶ୍ୟକତା ଥିବା ବିହନ ଚାଷ କରିବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

ଖରିଫ ଋତୁରେ ଜଳସେଚନ :-

ସୂଚନା ମୁତାବକ , ରାଜ୍ୟରେ ଚଳିତ ଖରିଫ ଋତୁରେ ୬୧ ଲକ୍ଷ ୯୬ ହଜାର ୨୨୦ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଖରିଫରେ ୪୩ ଲକ୍ଷ ୭ ହଜାର ୩୩୮ ହେକ୍ଟର, ରବିରେ ୧୯ ଲକ୍ଷ ୫୦ ହଜାର ୬୧୧ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥାଏ। ଖରିଫ ଋତୁରେ ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ଜରିଆରେ ୧୪ ଲକ୍ଷ ୬୫ ହଜାର, ବୃହତ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ୧ ଲକ୍ଷ ୨୪ ହଜାର ୭୧୨ ହେକ୍ଟର, କ୍ଷୁଦ୍ର ଉଠାଜଳସେଚନ ଜରିଆରେ ୭ ଲକ୍ଷ ୭୬ ହଜାର ହେକ୍ଟର, ମାଇନର ଫ୍ଲୋରେ ୭ ଲକ୍ଷ ୩୦ ହଜାର ହେକ୍ଟର, ଭୂତଳ ନଳକୂପ ଜରିଆରେ ୪ ଲକ୍ଷ ୪୬ ହଜାର, ଜଳନିଧି ସମେତ ଅନ୍ୟାନ୍ୟ ଯୋଜନାରେ ୭ ଲକ୍ଷ ହେକ୍ଟର ଜମି ଜଳସେଚିତ ହେଉଥିବା ଜଣା ପଡ଼ିଛି।

ରବି ଋତୁରେ ଜଳସେଚନ :-

ସେହିପରି ରବି ଋତୁରେ ମଧ୍ୟ ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୬ ଲକ୍ଷ ୭୨ ହଜାର ହେକ୍ଟର, କ୍ଷୁଦ୍ର ଉଠାଜଳସେଚନ ମାଧ୍ୟମରେ ୪ ଲକ୍ଷ ୪୧ ହଜାର ହେକ୍ଟର, ମାଇନର ଫ୍ଲୋରେ ୯୨ ହଜାର ହେକ୍ଟର, ଭୂତଳ ନଳକୂଅ ଜରିଆରେ ୧ ଲକ୍ଷ ୫୧ ହଜାର ହେକ୍ଟର, ଜଳନିଧି ସମେତ ଅନ୍ୟାନ୍ୟ ଯୋଜନାରେ ୫୯ ହଜାର ହେକ୍ଟର ଜମି ଜଳସେଚିତ ହୋଇ ପାରୁଛି। ତେବେ ବିଡମ୍ବନାର ବିଷୟ ହେଉଛି ଯେଉଁ ବର୍ଷ ନିଅଣ୍ଟିଆ ବର୍ଷା ହେଉଛି ସେହି ବର୍ଷ ପ୍ରକଳ୍ପଗୁଡ଼ିକ ମଧ୍ୟ ଅକାମୀ ହୋଇ ପଡ଼ୁଛି।

ତେବେ ଚଳିତ ବର୍ଷ ଯେତେବେଳ ନିଅଣ୍ଟିଆ ବର୍ଷା ଦେଖାଦେଇଛି ସେତେବେଳେ ଅକାମୀ ପ୍ରକଳ୍ପ ବିଶେଷକରି ଉଠାଜଳସେଚନର ବିକଳ ଚିତ୍ର ସାମ୍ନାକୁ ଆସିଛି । କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚାଷଜମିକୁ ପାଣି ମାଡ଼ି ପାରୁନଥିବା ନେଇ ଚାଷୀମାନେ ଅଭିଯୋଗ କରୁଛନ୍ତି।

Related Posts