“ମୋଦୀ ଚୀନକୁ ଏତେ ଭୟ କରୁଛନ୍ତି?” – ଓୱେଶି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍ଏଚ୍ଆରସି) ରେ ମାନବ ଅଧିକାର ପରିସ୍ଥିତି ଉପରେ ଚୀନ ବିରୋଧରେ ଏକ ପ୍ରସ୍ତାବ ଉପରେ ଭୋଟ ଦେବାରୁ ବିରତ ରହିଛି ଭାରତ। ଏହାକୁ ନେଇ ଏବେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ଟୁଇଟ କରି ଓୱେସି କହିଛନ୍ତି ଯେ, ମୋଦୀ ଚୀନକୁ ଏତେ ଭୟ କରୁଛନ୍ତି କାହିଁକି ? ୟୁଏନ୍ଏଚ୍ଆରସି ଚୀନ ବିରୋଧରେ ଭୋଟ ଦେବାରୁ ଭାରତ ବିରତ ରହି ପରୋକ୍ଷରେ ଚୀନକୁ କାହିଁକି ସମର୍ଥନ କଲା ତାହା ମୋଦି ସାହେବ୍ କହିବେକି ବୋଲି ସେ ପ୍ରଶ୍ନ କରିଛନ୍ତି। ୧୮ ଥର ଭେଟିଥିବା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଅପମାନିତ କରିବାକୁ ପ୍ରଧାନମନ୍ତ୍ରୀ କାହିଁକି ଏତେ ଭୟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁସାରେ, ଚୀନ୍‌ର ଜିନ୍‌ଜିଆଙ୍ଗ ପ୍ରଦେଶରେ ଉଇଘର ମୁସ୍‌ଲିମମାନଙ୍କୁ ଗତ କିଛିବର୍ଷ ଧରି ଚରମ ନିର୍ଯାତନା ଦିଆଯାଉଥିବା ଏବଂ ପ୍ରାୟ ୧୦ ଲକ୍ଷରୁ ଅଧିକ ମୁସ୍‌ଲିମଙ୍କୁ ବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଆସୁଛି। ଏହାକୁ ନେଇ ଚୀନ୍‌ ବିରୋଧରେ ଆଜି ଜାତିସଂଘରେ ଆଗତ ଏକ ପ୍ରସ୍ତାବ ଉପରେ ଭୋଟ୍‌ଦାନରୁ ଭାରତ ବିରତ ରହିଛି।

ଏହି ପ୍ରସ୍ତାବ କାନାଡ଼ା, ଡେନମାର୍କ, ଫିନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ, ନରୱେ, ସ୍ବିଡେନ, ବ୍ରିଟେନ୍‌ ଏବଂ ଆମେରିକାକୁ ନେଇ ଗଠିତ କୋର୍‌ ଗ୍ରୁପ୍‌ ଦ୍ବାରା ଉପସ୍ଥାପିତ ହୋଇଥିଲା । ଅନ୍ୟପକ୍ଷରେ ତୁର୍କୀ ଏବଂ ଅନ୍ୟ କେତେକ ରାଷ୍ଟ୍ର ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ୪୭ ସଦସ୍ୟ ବିଶିଷ୍ଟ ପରିଷଦରେ ପ୍ରସ୍ତାବ ସପକ୍ଷରେ ୧୭ଟି ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୧୯ଟି ଭୋଟ୍‌ ମିଳିଥିଲା। ଭୋଟଦାନରୁ ଚୀନ୍‌, ଭାରତ, ବ୍ରାଜିଲ, ମେକ୍ସିକୋ ଓ ୟୁକ୍ରେନ୍‌ ସମେତ ୧୧ଟି ରାଷ୍ଟ୍ର ବିରତ ରହିଥିଲେ। ଫଳରେ ଏହି ପ୍ରସ୍ତାବଟି ଖାରଜ ହୋଇଯାଇଥିଲା।

Related Posts