ପଡୋଶୀ ଦେଶ ସିରିଆ ଉପରେ ମିସାଇଲ୍ ଆକ୍ରମଣ କଲା ଇସ୍ରାଏଲ: ସିରିଆର ୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ୍‌ ମଧ୍ୟରେ ଚାଲିଛି ଯୁଦ୍ଧ । ତେବେ ଏହି ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଶୁକ୍ରବାର ପଡୋଶୀ ଦେଶ ସିରିଆ ଉପରେ ମିସାଇଲ୍ ଆକ୍ରମଣ କରିଛି । ଇସ୍ରାଏଲର ବିମାନ ସିରିଆରେ ପଶି ସୈନ୍ୟ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଫଳରେ ଏହି ଆକ୍ରମଣରେ ସିରିଆର ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଥିବା ମଧ୍ଯ ସୂଚନା ମିଳିଛି ।

ସିରିଆର ସରକାରୀ ନ୍ୟୁଜ୍ ଏଜେନ୍ସୀ ‘ସନା’ର ଖବର ଅନୁଯାୟୀ ଇସ୍ରାଏଲର ବିମାନ ଶୁକ୍ରବାର ଦିନ ସିରିଆରେ ପଶି ଆକ୍ରମଣ କରିଛି । ଏହି ଏୟାର ଷ୍ଟ୍ରାଇକ୍‌ରେ ଇସ୍ରାଏଲ ସିରିଆର ଅସ୍ତ୍ରଶସ୍ତ୍ର ଡିପୋ ଏବଂ ମସୟାଫରେ ଇରାନୀ ମିଲିସିଆ ଆଡ୍ଡାକୁ ଟାର୍ଗେଟ୍ କରିଥିଲା । ଇସ୍ରାଏଲ ଏୟାରଫୋର୍ସ ପ୍ରାୟ ୮ଟି ମିସାଇଲ୍ ଆଟାକ୍ କରିଥିଲେ । ଏହି ଏୟାର ଷ୍ଟାଇକ୍‌ରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ୭ ଜଣ ଆହତ ହୋଇଛନ୍ତି ।

ଅନ୍ୟ ସୂଚନା ଅନୁସାରେ ଆକ୍ରମଣ ଯୋଗୁଁ ସିରିଆର ଅନେକ ସୈନ୍ୟ ଆଡ୍ଡା ଧ୍ବସ୍ତ ହୋଇଯାଇଛି । ଏହାସହ ଫସଲ କ୍ଷେତରେ ମଧ୍ୟ ନିଆଁ ଲାଗିଯାଇଛି । ଯାହା ଫଳରେ ଫସଲ ପାଇଁ କ୍ଷତିପୂରଣ ଦେବାକୁ ପଡିଛି । ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ସେନା କୌଣସି ପ୍ରତିକ୍ରିୟା ଦେଇନାହିଁ । ସେପଟେ ସିରିଆ କହିଛି ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍ ବେଳେ ଅନେକ ମିସାଇଲକୁ ଏୟାର ଡିଫେନ୍ସ ସିଷ୍ଟମରେ ଧ୍ବସ୍ତ କରିଦେଇଛି ।

ଉଲ୍ଲେଖଯୋଗ୍ୟ ଯେ, ସିରିଆରେ ଇରାନ ସମର୍ଥିତ ମିଲିସିଆମାନେ ନିଜର ଆଡ୍ଡା କରିଛନ୍ତି । ଏମାନଙ୍କୁ ସିରିଆରୁ ଅର୍ଥ ଏବଂ ଅସ୍ତ୍ରଶସ୍ତ୍ର ସହାୟତା ଯୋଗାଇ ଦିଆଯାଉଥିବା ଇସ୍ରାଏଲ କହିଛି । ଯାହା ବଳରେ ସେମାନେ ଇସ୍ରାଏଲ ଉପରେ ଆକ୍ରମଣ ନେଇ ଷଡଯନ୍ତ୍ର ରଚୁଛନ୍ତି । ଏମିତିରେ ନିଜର ସୁରକ୍ଷା ପାଇଁ ଶତ୍ରୁଙ୍କୁ ସଫା କରିଦେବା ତାର ଅସହାୟତା ଥିଲା ।

Related Posts