‘ଜଣେ ସବୁଦିନ ପାଇଁ ଅଧ୍ୟକ୍ଷ ରହିବା ଅସମ୍ଭବ’; ବିସିସିଆଇ ଅଧ୍ୟକ୍ଷ ପଦ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିସିସିଆଇ ଅଧ୍ୟକ୍ଷ ପଦରୁ ସୌରଭ ଗାଙ୍ଗୁଲି ହଟିବା ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ତେବେ ଗୁରୁବାର ଗାଙ୍ଗୁଲି ଏନେଇ ମୁହଁ ଖୋଲିଛନ୍ତି । ସେ ପରୋକ୍ଷରେ ସ୍ପଷ୍ଟ କରିଛନ୍ତି ଯେ, ସେ ବିସିସିଆଇରେ ଆଉ ଦ୍ୱିତୀୟ ଇନିଂସ ଖେଳିବେ ନାହିଁ । ସେ କହିଛନ୍ତି ଯେ, ଜଣେ ପ୍ରଶାସକ ଭାବେ ସବୁ ଦିନ ରହିବା ସମ୍ଭବପର ନୁହେଁ । କ୍ରିକେଟ ଏବଂ ପ୍ରଶାସକ ଭାବେ ମୁଁ ଏକ ବଡ ଇନିଂସ ଖେଳିଛି । ଏହା ମୋ ଜୀବନର ଏ ପର୍ଯ୍ୟନ୍ତର ସର୍ବୋତ୍ତମ ସମୟ ରହିଥିଲା ବୋଲି ଗାଙ୍ଗୁଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆଗକୁ ଆଉ କିଛି ବଡ କରିବାକୁ ହେବ । ଏଥିପାଇଁ ବହୁତ କିଛି ଦେବାକୁ ପଡିବ । ଏଥପାଇଁ ଆପଣଙ୍କୁ ଦୀର୍ଘ ଦିନ ଧରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡିବ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିସିସିଆଇ ବୈଠକ ପୂର୍ବରୁ ଗାଙ୍ଗୁଲି ଅଧ୍ୟକ୍ଷ ଭାବେ ବିସିସିଆଇରେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ବୋଲି ଆଶା କରାଯାଉଥିଲା । ମାତ୍ର ବୈଠକରେ ତାଙ୍କ ସପକ୍ଷରେ କେହି ବାହାରିନଥିଲେ । ତାଙ୍କ ସ୍ଥାନରେ ରୋଜର ବିନ୍ନୀଙ୍କୁ ପରବର୍ତ୍ତୀ ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଥିସହ ଗାଙ୍ଗୁଲି ବିସିସିଆଇରୁ ଏକ ପ୍ରକାର ଛୁଟି ହୋଇ ଯାଇଥିଲା । ଏବେ ବିସିସିଆଇର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ରୋଜର ବିନ୍ନୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ନିର୍ବାଚନରେ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବେ ବୋଲି କୁହାଯାଉଛି।

Related Posts