‘ଏହା ପଦ ଯାତ୍ରା ନୁହେଁ, ପଦ ପାଇବା ପାଇଁ ଯାତ୍ରା’; ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ମୋଦୀଙ୍କ ଟାର୍ଗେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି । ଗୁଜୁରାଟ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଆଜି ରାହୁଲ ଗାନ୍ଧୀଙ୍କ ଯାତ୍ରା ଉପରେ ମନ୍ତବ୍ୟ ଦେଇ ଜୋରଦାର ବର୍ଷିଛନ୍ତି ମୋଦି। ସେ କହିଛନ୍ତି ଯେ, ଯେଉଁ ଲୋକଙ୍କୁ ଜନତା କ୍ଷମତାରୁ ବାହାର କରିଥିଲେ, ଏବେ ସେମାନେ କ୍ଷମତାକୁ ଆସିବା ପାଇଁ ଯାତ୍ରା ବାହାର କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୁଜରାଟର ସୁରେନ୍ଦ୍ର ନଗର ଜିଲ୍ଲାରେ ଧ୍ରାଙ୍ଗଧରାରେ ଏକ ନିର୍ବାଚନୀ ସଭାକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ, ‘ଏହା ପଦ(ପାଦ) ଯାତ୍ରା ନୁହେଁ, ବରଂ ପଦ(କ୍ଷମତା) ପାଇବା ପାଇଁ ଯାତ୍ରା ଅଟେ’।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ‘କଂଗ୍ରେସ ମୋଦୀକୁ ତାର ଔକାତ ଦେଖାଇବ ବୋଲି ନାରା ଦେଉଛି । ଆପଣ(କଂଗ୍ରେସ) ଏକ ରାଜ ପରିବାରର ଦଳ ଏବଂ ମୁଁ ଗୋଟିଏ ସାଧାରଣ ଘରର ପୁଅ । ଆପଣ (କଂଗ୍ରେସ) ମୋତେ ପ୍ରଥମେ ମୃତ୍ୟୁର ସୌଦାଗର, ନାଳର ପୋକ ଏବଂ ନୀଚ ପରି ନାଁରେ ଡାକିଥିଲେ କିନ୍ତୁ ଏବେ ଔକାତର ଖେଳରୁ ହଟି ଗତ ଦୁଇ ଦଶନ୍ଧିରେ ଗୁଜରାଟରେ ବିଜେପିର ବିକାଶ କାର୍ଯ୍ୟ ଉପରେ ଚର୍ଚ୍ଚା କରିବାକୁ ପଡିବ’ ।

ସୌରାଷ୍ଟ୍ରରେ କଂଗ୍ରେସର ଗଡ଼ ସୁରେନ୍ଦ୍ର ନଗରରେ ବିଶାଳ ଜନସଭାକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁଇ ଦଶନ୍ଧି ମୋ ନାଁରେ କୌଣସି ଔକାତ ନାହିଁ, ତଥାପି ମୁଁ ସେବକ ଏବଂ ସେବାଦାର ଅଟେ । ସୁରେନ୍ଦ୍ର ନଗରବାସୀଙ୍କୁ ଆପଣ ୪୦ ବର୍ଷ ଯାଏଁ ଜଳ ସଂକଟରେ ରଖିଲ । ଏବେ ନିଜ ଯାତ୍ରାରେ ନିର୍ମଦା ଯୋଜନାର ବିରୋଧ କରୁଥିବା (ମେଘା ପାଟକର) ଲୋକଙ୍କ ସହ କାନ୍ଧ ମିଶାଇ ଚାଲୁଛି । ଆସନ୍ତା ନିର୍ବାଚନରେ ଗୁଜରଟବାସୀ ଏହା ଉପରେ ନିଶ୍ଚୟ ଦଣ୍ଡ ଦେବେ ବୋଲି ମୋଦି କହିଛନ୍ତି।

Related Posts