କେବଳ ଅଭିଯୋଗ ଉପରେ ନବାବ ମଲିକଙ୍କ ଇସ୍ତଫା ଦେବାର ପ୍ରଶ୍ନ ଉଠୁ ନାହିଁ: ଏନସିପି

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କୁ ଗିରଫ କରିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ନବାବ ମଲିକ ଗିରଫ ହେବା ପରେ ବିରୋଧୀ ବିଜେପି ନବାବ ମଲିକଙ୍କ ଇସ୍ତଫା ଦାବି କରିବା ଆରମ୍ଭ କରିଛି। କିନ୍ତୁ, ମଲିକ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଏନସିପି କହିଛି। କେବଳ ଅଭିଯୋଗ ଉପରେ ନବାବ ମଲିକଙ୍କ ଇସ୍ତଫା ପ୍ରଶ୍ନ ଉଠୁନାହିଁ ବୋଲି ଏନସିପି ନେତା ଛଗନ ଭୁଜବଲ କହିଛନ୍ତି। ଗୁରୁବାରଠାରୁ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେପଟେ ମନି ଲଣ୍ଡରିଂ ମାମଲାରେ ଗିରଫ ହେବା ପରେ ଏନସିବି ନେତାମାନେ ଶରଦ ପାୱାରଙ୍କ ବାସଭବନରେ ବୈଠକ କରିଥିଲେ ।

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ମନ୍ତ୍ରୀ ଛଗନ ଭୁଜବଲ, ହାସନ ମୁଶ୍ରିଫ ଏବଂ ରାଜେଶ ଟୋପ ଏବଂ ଅନ୍ୟ ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ବରିଷ୍ଠ ଏନସିପି ନେତା ତଥା ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଛଗନ ଭୁଜବାଲ କହିଛନ୍ତି ଯେ ନବାବ ମଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିରୋଧରେ ତିନିଟି ଏମବିଏ ଦଳ ଏକଜୁଟ ହୋଇଛନ୍ତି। ଗୁରୁବାର ଦିନ ସକାଳ ୧୦ ଟାରେ ଏମବିଏ ସରକାରର ସମସ୍ତ ମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ମନ୍ତ୍ରଣାଳୟ ସମ୍ମୁଖରେ ଧାରଣାରେ ବସିବେ।

ଏହା ସହ ଭୁଜବଲ କହିଛନ୍ତି ଯେ ମଲିକଙ୍କୁ ଭୁଲ ଭାବରେ ଗିରଫ କରାଯାଇଛି। ମଲିକ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ନିର୍ଭୟରେ କହୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି। କେବଳ ଏତିକି ନୁହେଁ, କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ମାଧ୍ୟମରେ ପ୍ରତ୍ୟେକ ମନ୍ତ୍ରୀଙ୍କୁ ହତାଶ କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି । ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟ ଏବଂ ପିଡବ୍ଲ୍ୟୁଡି ମନ୍ତ୍ରୀ ଅଶୋକ ଚାବନ ଶରଦ ପାୱାରଙ୍କୁ ଭେଟି ମଲିକଙ୍କ ଗିରଫ ପରେ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

Related Posts