ଯଦି ଆପ୍ ପାଖରେ ଅଫର ଦେବାର ରେକର୍ଡିଂ ଅଛି ତେବେ ଭାଜପାର ପର୍ଦ୍ଦାଫାଶ୍‌ କରାଯାଉ : ଏନସିପି ମୁଖପାତ୍ର କ୍ଲାଇଡ କ୍ରେଷ୍ଟୋ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଭାଜପା ପକ୍ଷରୁ ଦିଆଯାଇଥିବା ଅଫରକୁ ନେଇ ଜୋରଦାର ରାଜନୀତି ଚାଲିଛି। ଏହା ସହିତ ଆପ ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହାରି ଭିତରେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି । ଏନସିପି ପକ୍ଷରୁ ଦଳର ମୁଖପାତ୍ର କ୍ଲାଇଡ କ୍ରେଷ୍ଟୋ କହିଛନ୍ତି ଯେ, ଯଦି ଆପ୍ ପାଖରେ ଏହି ଅଫରର ରେକର୍ଡିଂ ରହିଛି ତେବେ ଏହାକୁ ଜାରି କରି ଭାଜପାର ପର୍ଦ୍ଦାଫାଶ୍‌ କରାଯାଉ। କ୍ଲାଇଡ କ୍ରେଷ୍ଟୋ ଆହୁରି କହିଛନ୍ତି ଯେ, ଭାଜପାର ଏଭଳି ପ୍ରସ୍ତାବର ଦାବି ଯଦି ସତ ହୁଏ ତେବେ ଏହା ଆଗାମୀ ଦିନରେ ଭାରତର ଗଣତନ୍ତ୍ର ପାଇଁ ବିପଦଜନକ ସାବ୍ୟସ୍ତ ହେବ। କ୍ରେଷ୍ଟୋ କହିଛନ୍ତି ମହାରାଷ୍ଟ୍ରର ବିଧାୟକଙ୍କ ସହ ମଧ୍ୟ ସମାନ ଅଫର ଉପରେ ଆଲୋଚନା କରାଯାଇଥିଲା। ଶେଷରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାର କ୍ଷମତାଚ୍ୟୁତ ହୋଇଥିଲେ।

ସୂଚନା ଅନୁସାରେ ସିସୋଡିଆ ସୋମବାର ଅଭିଯୋଗ କରିଥିଲେ ତାଙ୍କୁ ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବାକୁ ଭାଜପା ତରଫରୁ ଏକ ଅଫର ଆସିଛି। ଅପରପକ୍ଷରେ ଭାଜପା ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲା। ଭାଜପା ଜବାବ ଦେଇଥିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପ୍ରମୁଖ ସହାୟକ ସିସୋଡିଆ ନିଜ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗରୁ ଦୃଷ୍ଟି ହଟାଇବା ଲାଗି ଭାଜପା ବିରୋଧରେ ଏଭଳି ଅଭିଯୋଗ ଆଣି ସିବିଆଇ ଚଢ଼ାଉର ପ୍ରତିଶୋଧ ନେଉଛନ୍ତି।

Related Posts