ଟ୍ବିଟର ଟାର୍ଗେଟରେ ଆଇଟି ମନ୍ତ୍ରୀ : ଘଣ୍ଟାଏ ପର୍ଯ୍ୟନ୍ତ ବ୍ଲକ୍ ହୋଇଗଲା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଟ୍ବିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ନୂଆ ରୂପ ନେଇଛି । ନୂତନ ଆଇଟି ନିୟମକୁ ନେଇ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆଜି ଟ୍ୱିଟର ପକ୍ଷରୁ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା। ଏ ସମ୍ପର୍କରେ ସେ ଟ୍ବିଟରରେ ସୂଚନା ଦେଇ କହିଛନ୍ତି, “ବନ୍ଧୁଗଣ ! ଆଜି ଏକ ଅଦ୍ଭୁତ ଘଟଣା ଘଟିଛି। ଆମେରିକାର Digital Millennium Copyright Act ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଆଜି ଟ୍ୱିଟର ପ୍ରାୟ ୧ ଘଣ୍ଟା ଧରି ମୋ ଆକାଉଣ୍ଟ ବ୍ୟବହାର କରିବାକୁ ଅନୁମତି ଦେଇ ନଥିଲା। ଏହାପରେ ସେମାନେ ଆକାଉଣ୍ଟକୁ ଅନଲକ୍ କରିଥିଲେ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ଟ୍ୱିଟରର କାର୍ଯ୍ୟକଳାପ ସୂଚାଇଦେଇଛି ଯେ ସେମାନେ ଯେପରି ଦାବି କରନ୍ତି ସେପରି ଅଭିବ୍ୟକ୍ତିର ବାକ୍‌ ସ୍ୱାଧୀନତା ସହିତ ନାହାଁନ୍ତି, ସେମାନେ କେବଳ ନିଜର ଏଜେଣ୍ଡା ଚଳାଇଥାନ୍ତି । ଯଦି ଆପଣ ସେମାନଙ୍କ ନିୟମ ଅନୁସରଣ ନକରନ୍ତି ତେବେ ସେମାନେ ମନଇଚ୍ଛା କାମ କରିବେ। ତୁମକୁ ସେମାନଙ୍କ ପ୍ଲାଟଫର୍ମରୁ ବାହାର କରିଦେବେ । ” କିନ୍ତୁ ଯାହା ବି ହେଉ ସୋସିଆଲ ମିଡିଆ କମ୍ପାନୀ ଗୁଡ଼ିକ ଯାହା ବି କରୁଛନ୍ତି, ସେମାନେ ନୂଆ ଆଇଟି ନିୟମକୁ ଦୃଷ୍ଟିରେ ରଖି କରନ୍ତୁ। ଏଥିରେ କୌଣସି ପ୍ରକାରର ବୁଝାମଣା ହୋଇପାରିବ ନାହିଁ ।

Related Posts