ଆଇଟି ମନ୍ତ୍ରୀଙ୍କ ପେଗାସସ୍ ବିବୃତ୍ତି ଚିରିବା ମାମଲା : ମୌସୁମୀ ଅଧିବେଶନରୁ ନିଲମ୍ୱିତ ହେଲେ ଟିଏମସି ସାଂସଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗୃହରେ ଅଶୋଭନୀୟ ଆଚରଣ ପାଇଁ ରାଜ୍ୟସଭାର ଚଳିତ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନ ଗୁଡ଼ିକରୁ ନିଲମ୍ୱିତ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ୍।  ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଶୁକ୍ରବାର ଦିନ ଶାନ୍ତନୁ ସେନଙ୍କୁ ନିଲମ୍ବନ ଘୋଷଣା କରିଛନ୍ତି। ଗତକାଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେଗାସସ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତ୍ତି ରଖୁଥିବା ସମୟରେ ମନ୍ତ୍ରୀଙ୍କ ହାତରୁ କାଗଜ ଛଡାଇ ଚିରି ଫୋପାଡ଼ି ଦେଇଥିଲେ ଶାନ୍ତନୁ ସେନ୍‌। ଏହା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

  ଶୁକ୍ରବାର ରାଜ୍ୟସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଗତକାଲିର ଘଟଣା ବାବଦରେ କହିଥିଲେ ଯେ , ଯାହା ଘଟିଲା ତାହା ଗ୍ରହଣୀୟ ନୁହେଁ। ଏଭଳି ବ୍ୟବହାର ଗଣତନ୍ତ୍ରର ଗାରିମା ନଷ୍ଟ କରିଛି। ଏଭଳି ଅଶୋଭନୀୟ ବ୍ୟବହାର ପାଇଁ ଚଳିତ ମୌସୁମୀ ଅଧିକବେଶନ ଅବଶିଷ୍ଟ ଦିନ ଗୁଡ଼ିକରୁ ଶାନ୍ତନୁ ସେନଙ୍କୁ ନିଲମ୍ୱନ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଇସ୍ରାଏଲର ଏନଏସଓ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପେଗାସସ ସ୍ପାଇଓ୍ୱୟାରକୁ ବ୍ୟବହାର କରି ଭାରତ ସରକାର ୩୦୦ରୁ ଅଧିକ ଲୋକଙ୍କ ଫୋନ୍ ଟ୍ୟାପିଂ ହୋଇଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ଆଧାରରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ସଦନରେ ଟାର୍ଗେଟ କରିଥିଲେ। ସରକାର କିନ୍ତୁ ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି ଏପରି ଖବର ତିଆରି କରାଯାଇଛି ବୋଲି ସରକାର କହିଛନ୍ତି।

ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କ ଠାରୁ ଜବାବ ମାଗିଥିଲେ। ଏହାପରେ ଗତକାଲି ରାଜ୍ୟସଭାରେ ଆଇଟି ମନ୍ତ୍ରୀ ପେଗାସସ୍ ଜାସୁସି କାଣ୍ଡର ଉତ୍ତର ରଖୁଥିବା ସମୟରେ ଟିଏମସି ସାଂସଦ ଶାନ୍ତନୁ ସେନ୍ ପେପର୍ ଛଡାଇ ଆଣି ଗୃହ ମଝିରେ ଚିରି ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଚଳିତ ମୌସୁମୀ ଅଧିବେଶନର ପେଗାସସ୍ ଜାସୁସି ମାମଲା, ତିନି କୃଷି ଆଇନ , କୋଭିଡ୍ ପରିଚାଳନା, ତୈଳ ଦର ବୃଦ୍ଧି ଭଳି ସମସ୍ୟାକୁ ନେଇ ସଂସଦର ଉଭୟ ସଦନରେ ଜୋରଦାର ହଙ୍ଗାମା ହେଉଛି। ବିରୋଧୀ ସରକାରଙ୍କୁ ଗୃହରେ ଘେରିବା ସଙ୍ଗେ ସଙ୍ଗେ ସଂସଦ ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ବିରୋଧ ପ୍ରଦର୍ଶନ କରୁଛନ୍ତି। 

Related Posts