ମଧ୍ୟପ୍ରଦେଶର ଜବଲପୁର ହସ୍ପିଟାଲରେ ଅଗ୍ନିକାଣ୍ଡ ମାମଲା: ୪ ଡାକ୍ତରଙ୍କ ବିରୋଧରେ ମାମଲା ରୁଜ୍ଜୁ

ଭୋପାଳ : ମଧ୍ୟପ୍ରଦେଶର ଜବଲପୁରରେ ସୋମବାରଦିନ ହସପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାକୁ ନେଇ ୪ ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ପୁଲିସ । ଏହି ୪ ଜଣ ଡାକ୍ତର ଉକ୍ତ ହସପିଟାଲର ମାଲିକ ବୋଲି ମଧ୍ୟ ଜଣାପଡ଼ିଛି ।

ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଓ ୩୦୮ (କୌଣସି ଉଦ୍ଦେଶ୍ୟ ନ ରଖି ହତ୍ୟା ଉଦ୍ୟମ କରିବା) ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି । ମାତ୍ର ସୋମବାର ଦିନ ଠାରୁ ଏହି ଡାକ୍ତରମାନେ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି । ତେବେ ହସପିଟାଲର ଫାୟାର ଏନଓସି ନଥିଲା ବୋଲି ଜଣାପଡ଼ିଛି । ଫଳରେ ହସପିଟାଲ ପରିଚାଳନାର ଏକ ବଡ଼ ଅବହେଳା ଜଣାପଡ଼ିଛି ।

ଗତ ସୋମବାର ଅପରାହ୍ଣରେ ଜବଲପୁର ଜିଲ୍ଲାର ଗୋହାଲପୁର ଥାନା ଅଂଚଳରେ ଆସୁଥିବା ନ୍ୟୁଲାଇଫ୍ ମଲଟିସ୍ପେଶିଆଲିଟି ହସପିଟାଲରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ସମଗ୍ର ହସପିଟାଲକୁ ବ୍ୟାପିଯାଇଥିଲା । ଏହି ଘଟଣାରେ 10 ଜଣ ମୃତ୍ୟୁବରଣ କରିଥିଲେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ମୃତବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଲେଖାଏ୍ଁ ପ୍ରଦାନ କରିବେ ।

Related Posts