ରଥ ନିର୍ମାଣ କରି ଅଯଥା ଖର୍ଚ୍ଚ ନକରାଯାଉ କହି ବିବାଦ ଘେରରେ ନୀଳଗିରି ବିଧାୟକ, କଳାପାହାଡ଼ ଭଳି କାମ ନ କରିବାକୁ ଜଗନ୍ନାଥ ସେନାର ନିର୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ରାଜ୍ୟ ମହାମାରୀ କରୋନା ସହ ଲଢ଼ୁଛି । ଏପରି ସ୍ଥିତିରେ ଚଳିତ ବର୍ଷ ରଥଯାତ୍ରାକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଛି । ତେବେ ବାଲେଶ୍ଵର ନୀଳଗିରିରେ ରଥଯାତ୍ରାକୁ ନେଇ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଚିଠିକୁ ନେଇ ବର୍ତ୍ତମାନ ବିବାଦ ମୁଣ୍ଡ ଟେକିଛି । ଗତବର୍ଷ ରଥ ନିର୍ମାଣ ହୋଇ କୋଭିଡ କଟକଣା ପାଇଁ ରଥଟଣା ହୋଇପାରିନଥିଲା। ତେଣୁ
କୋଭିଡ୍ ସମୟରେ ଚଳିତ ବର୍ଷ ନିର୍ମାଣ କରି ଅଯଥା ଖର୍ଚ୍ଚ ନକରାଯାଉ ବୋଲି ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଗତବର୍ଷ ରଥ ନିର୍ମାଣରେ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ତାହା ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି । ତେଣୁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ କରିବା ଠିକ୍ ନୁହେଁ ବୋଲି ବିଧାୟକ ଜଣକ କହିଛନ୍ତି । କେବଳ ଏତିକି ନୁହେଁ ବରଂ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ୫ଟି ସଚିବ, ଆଇନ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀଙ୍କୁ ବିନା ଅନୁମତିରେ କେମିତି ରଥ ନିର୍ମାଣ ହେଉଛି ବୋଲି ଚିଠି ଲେଖି ପ୍ରଶ୍ନ କରିଥିଲେ । ଏହା ସହ ସରକାରୀ ଅର୍ଥ ବଞ୍ଚାଇବା ସହ ସଠିକ ପରାମର୍ଶ ଦେବାକୁ ମଧ୍ୟ ବିଧାୟକ କହିଥିଲେ। ତେବେ ଏପରି କରିବା ଦ୍ୱାରା ବିଧାୟକଙ୍କୁ କେତେ ମହଙ୍ଗା ପଡ଼ିବ ବୋଲି ସେ ଜାଣି ନଥିଲେ । ତେବେ ବିଧାୟକଙ୍କ ଚିଠିକୁ ଅତ୍ୟନ୍ତ ଅଶୋଭନୀୟ ଏବଂ ଏହା ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି କୁଠାରଘାତ ସୃଷ୍ଟି କରୁଛି ବୋଲି ଜଗନ୍ନାଥ ସେନା ପ୍ରତିକ୍ରିୟା ଦେଇଥିଲେ । ଏହା ସହ ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ମଧ୍ୟ ଦେଇଥିଲେ । ବିଧାୟକ ଜଣଙ୍କ ଜଗନ୍ନାଥ ଭୂମିରେ ଜନ୍ମଗ୍ରହଣ କରି କଳାପାହାଡ ଭଳି କାମ କରିଛନ୍ତି ବୋଲି ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି। କେବଳ ଏତିକି ନୁହେଁ ବରଂ ବାଲେଶ୍ୱର ନୀଳଗିରିରେ ରଥ ନିର୍ମାଣରେ ଅଯଥା ଖର୍ଚ୍ଚ ନକରିବାକୁ ଚିଠି ଲେଖି ସମସ୍ତ ଜଗନ୍ନାଥପ୍ରେମୀଙ୍କ ମନରେ ବିଧାୟକ ଜଣଙ୍କ ଆଘାତ ଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ ସରକାର ଚୁପ୍ ଥିବା ବେଳେ ରଥଯାତ୍ରା ବନ୍ଦ କରାଇବାକୁ ବିଧାୟକଙ୍କୁ କିଏ ଅନୁମତି ଦେଲା ବୋଲି ଜଗନ୍ନାଥ ସେନା ପ୍ରଶ୍ନ କରିଛନ୍ତି । ତେଣୁ ବିଧାୟକ ଜଣଙ୍କ ତୁରନ୍ତ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ । ଯଦି ଏପରି ନ ଘଟେ ତାହାଲେ ତାଙ୍କୁ ଗିରଫ କରିବା ପାଇଁ ଆଗାମୀ ଦିନରେ ଦାବି ଜୋର ଧରିବ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛନ୍ତି । ଅପରିପକ୍ଷେ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସରକାରଙ୍କ ନିର୍ଦେଶ ନଆସିବା ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିବାର ସୂଚନା ମିଳିଛି ।

Related Posts