ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୦ ଦିନରେ ପହଁଞ୍ଚିଥିବା ବେଳେ, ରୁଷ ସେନା ୟୁକ୍ରେନ ଉପରକୁ କରୁଥିବା ଆକ୍ରମଣ କୁ ନେଇ ବିରୋଧ କରିଛନ୍ତି ଅନେକ ଦେଶ | ଏପରିକି ନିଜ ଦେଶ ବାସୀ ମାନେ ମଧ୍ୟ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷ ରାଷ୍ଟ୍ରପତିଙ୍କ ନିକଟରେ ନିବେଦନ କରୁଥିବା ବେଳେ, ଅନେକଙ୍କୁ ରୁଷ ସେନା ଗିରଫ କରିଥିବା ନେଇ ସୂଚନା ରହିଛି | ତେବେ ଏହାରି ମଧ୍ୟରେ ସମାନ ଏକ ଖବର ସାମ୍ଙ୍କୁ ଆସିଛି |
ସୋମବାର ସଂଧ୍ୟାରେ ରୁଷ୍ର ଏକ ଟିଭି ଚ୍ୟାନେଲ୍ରେ ଲାଇଭ୍ ଖବର ଚାଲିଥିବା ସମୟରେ ହଠାତ ଯୁଦ୍ଧକୁ ବିରୋଧ କରୁଥିବା ଜଣେ ମହିଳା ଯୁଦ୍ଧ ବିରୋଧୀ ଏକ ସ୍ଲୋଗାନ୍ ଲେଖି ଖବର ଉପସ୍ଥାପିକାଙ୍କ ପଛକୁ ପଳାଇଥିବା ଦେଖିବାକୁ ମିଳିଛି। ସେ ଧରିଥିବା ବୋର୍ଡରେ ଲେଖା ଯାଇଥିଲା, ‘କିଛି ଯୁଦ୍ଧ ହେବ ନାହିଁ, ଯୁଦ୍ଧ ବନ୍ଦ କର, କୌଣସି ପ୍ରକାରର ପ୍ରଚାରକୁ ବିଶ୍ବାସ କରନାହିଁ, ସେମାନେ ମିଛ କହୁଛନ୍ତି’।
ଏପରି ଅଜବ କାଣ୍ଡ ରଚିଥିବା ଏହି ମହିଳାଙ୍କ ନାମ ମାରିନା ଓଭସାନନିକୋଭା। ସେ ଏପରି କାର୍ଯ୍ୟ କରିବା ପରେ ତାଙ୍କୁ ଗିରଫ କରାଯାଇ ଏବେ ପୁଲିସ୍ ହେପାଜତରେ ରଖାଯାଇଛି। ସେ ଚ୍ୟାନେଲ୍୧ ରେ ସଂପାଦିକା ଭାବେ କାର୍ଯ୍ୟ କରନ୍ତି।
ଏହା ପୂର୍ବରୁ ସେ ଏକ ଭିଡିଓ ରେକର୍ଡ କରି ରୁଷ୍ର ୟୁକ୍ରେନ୍ ଉପରେ ଏପରି ଆକ୍ରମଣକୁ ଅପରାଧ ବୋଲି କହି ନିଜେ ଲଜ୍ଜିତ ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଥିଲେ। ସେ ରୁଷର ଲୋକମାନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଥିଲେ।
ସେପଟେ ମହିଳାଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି।





