ଚୀନ ଭୟରେ ଥରୁଛି ଜାପାନ: ୧୦୦୦ଟି ଦୂରଗାମୀ କ୍ଷେପଣାସ୍ତ୍ର ରଖିବ ପ୍ରସ୍ତୁତ

ଟୋକିଓ : ତାଇଓ୍ବାନ ଓ ଚୀନ ମଧ୍ୟ ତିକ୍ତତା କୁ ନେଇ ଏବେ ଭୟରେ ଥରୁଛି ଜାପାନ । ନିଜ ସୁରକ୍ଷାକୁ ନେଇ ଜାପାନ ଚିନ୍ତିତ ହୋଇପଡ଼ିଛି । ଚୀନ ଭବିଷ୍ୟତରେ ଆକ୍ରମଣ କରିପାରେ ବୋଲି ଜାପାନ ଆଶଙ୍କା କରୁଛି ଓ ଏହାର ମୁକାବିଲା ପାଇଁ ଦୀର୍ଘମିଆଦୀ ରଣନୀତି ପ୍ରସ୍ତୁତ କରୁଛି ।

ଜାପାନୀ ନ୍ୟୁଜ୍ ଏଜେନ୍ସି କ୍ୟୋଡୋ ନ୍ୟୁଜର ରିପୋର୍ଟ ଅନୁସାରେ ଚୀନ ପାଇଁ ଅତିକମରେ ୧ ହଜାରଟି ଦୂରଗାମୀ କ୍ଷେପଣାସ୍ତ୍ର ସଜ୍ଜିତ ରଖିବାକୁ ଜାପାନ ଯୋଜନା କରୁଛି । ଏଥିପାଇଁ ଚଳିତ ବର୍ଷ ଜାପାନର ବାର୍ଷିକ ବଜେଟରେ ସ୍ବତନ୍ତ୍ର ବ୍ୟୟବରାଦ କରିବାକୁ ବିଚାର କରାଯାଉଛି । ଏସବୁ କ୍ଷେପଣାସ୍ତ୍ର ମଧ୍ୟରେ ରହିବ ଭୂପୃଷ୍ଠରୁ ଜାହାଜକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର । ଜାପାନର ପ୍ରତିରକ୍ଷା ବିଭାଗର ଯୋଜନା ଅନୁସାରେ ଟାଇପ୍-୧୨ କ୍ଷେପଣାସ୍ତ୍ର ଉତ୍ପାଦନ ବୃଦ୍ଧି କରିବାକୁ ଯୋଜନା କରାଯାଉଛି ।

ତାଇଓ୍ବାନ ପରି ଜାପାନୀ ଚାରିପଟେ ସମୁଦ୍ର ଥିବାରୁ ଚୀନର ଟ୍ୟାଙ୍କ ଓ ଯୁଦ୍ଧ ଯାନ ପ୍ରବେଶ କରିପାରିବେ ନାହିଁ । ଚୀନ ଲଢୁଆ ବିମାନ, କ୍ଷେପଣାସ୍ତ୍ର ଓ ଯୁଦ୍ଧ ଜାହାଜ ପଠାଇ ଜାପାନ ଉପରେ ଆକ୍ରମଣ କରିପାରିବ । ଏଣୁ ଏହାକୁ ଦୃଷ୍ଟିରେ ରଖି ଜାପାନ ନିଜର ସାମରିକ ଯୋଜନା ପ୍ରସ୍ତୁତ କରୁଛି । ଚଳିତ ବର୍ଷ ଶେଷ ଆଡ଼କୁ ଜାପାନ ନିଜର ଜାତୀୟ ସୁରକ୍ଷା ରଣନୀତି ସଂପର୍କିତ ଏକ ରିପୋର୍ଟ ଜାରି କରିବ । ଏଥିରେ ଏହି ରଣନୀତି ବାବଦରେ ଉଲ୍ଲେଖ ରହିବାର ସମ୍ଭାବନା ରହିଛି ।

Related Posts