ଭୁବନେଶ୍ୱର,୨୧/୮(ସତ୍ୟପାଠ ବ୍ୟୁରୋ): ଜୟ ଶାହ ହୋଇ ପାରନ୍ତି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଅଧ୍ୟକ୍ଷ | ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ ଇନ୍ ଇଣ୍ଡିଆ (BCCI) ସଚିବ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ସରିବା ପରେ ଜୟ ଶାହ ଏହି ଦାୟିତ୍ୱ ନେଇପାରନ୍ତି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବା ପରେ ସେ ଏହି ପଦରୁ ଇସ୍ତଫା ଦେବେ। ତୃତୀୟ ଥର ପାଇଁ ଆଇସିସି ଅଧ୍ୟକ୍ଷ ହେବାକୁ ସେ ନିଜ ଆଡ଼ୁ ମନା କରି ଦେଇ ଥିବାରୁ ଜୟ ଶାହଙ୍କ ନାମ ଚର୍ଚ୍ଚାରେ ରହିଛି। ସେପଟେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଜୟ ଶାହଙ୍କୁ ସମର୍ଥନ ଜଣାଇଛନ୍ତି। ଫଳରେ ଜୟ ଶାହ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।
ତେବେ ଆଇସିସି ନିୟମ ଅନୁସାରେ, ଚେୟାରମ୍ୟାନ୍ ନିର୍ବାଚନରେ ୧୬ଟି ଭୋଟ୍ ରହିଛି। ପୂର୍ବରୁ ଅଧ୍ୟକ୍ଷ ହେବାକୁ ହେଲେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ପଡୁଥିଲା। ବର୍ତ୍ତମାନ କିନ୍ତୁ ବିଜୟ ହେବା ପାଇଁ ପ୍ରାର୍ଥୀଙ୍କୁ ନଅଟି ଭୋଟ୍ ଅର୍ଥାତ୍ ୫୧% ସମର୍ଥନ ସହ ସଂଖ୍ୟାଗରିଷ୍ଠତା ଆବଶ୍ୟକ। ଯଦି ଜୟ ଶାହ ଏଥିପାଇଁ ନାମାଙ୍କନ ଭରନ୍ତି, ତେବେ ସେ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ଭୋଟ୍ ଦେବାକୁ ଥିବା ୧୬ ଜଣ ସଦସ୍ୟଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି।
ଏପରି ହେଲେ ସେ ତୃତୀୟ ଭାରତୀୟ ଭାବେ ଏହି ପଦରେ ବସିବେ। ଏହା ପୂର୍ବରୁ ଜଗମୋହନ ଡାଲମିଆ ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ଏବଂ ଶରଦ ପାୱାର ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ଆଇସିସିର ମୁଖ୍ୟ ପଦରେ ରହିଥିଲେ। ICC ଅଧ୍ୟକ୍ଷ ପଦ ପାଇଁ ଅଗଷ୍ଟ ୨୭ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି।