୬ ମାସ ପୂର୍ବରୁ ହୋଇଥିଲା ହତ୍ୟା, ଏବେ ଘରକୁ ଫେରିଲା 16 ବର୍ଷର ଝିଅ !

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । 6 ମାସ ପରେ ନିଜ ଘରକୁ ଫେରିଛି ଜଣେ 16 ବର୍ଷର ଝିଅ, ଯାହାକୁ 6 ମାସ ତଳେ ହତ୍ୟା କରାଯାଇଥିବା ନେଇ ପୋଲିସ୍‌ ସୂଚନା ଦେଇଥିଲା ।

ପୋଲିସ୍‌ର କହିବା ଅନୁସାରେ ଗତ ମେ’ ମାସରେ ଆରୋହୀ (ଛଦ୍ମନାମ)କୁ ହତ୍ୟା କରାଯାଇଥିଲା । କିନ୍ତୁ ଆରୋହୀ ଗତ ସୋମବାର ରାଞ୍ଚିସ୍ଥିତ ନିଜ ଘରକୁ ଫେରିଛି ଆଉ ତା’ ସହ ଘଟିଥିବା ସମସ୍ତ ଘଟଣା କହିଛି ।

ସ୍ଥାନୀୟ ଥାନାର ଅଧିକାରୀଙ୍କ କହିବା ଅନୁସାରେ ଆରୋହୀ ପ୍ରଥମେ ଚଣ୍ଡୀଗଡ଼ ଏବଂ ପରେ ଦିଲ୍ଲୀ ଏନ୍‌ସିଆର୍‌ ଅଧୀନ ନୋଏଡାରେ ଜଣେ ଘରୋଇ ସହାୟିକା ଭାବେ କାମ କରୁଥିଲେ । ଗତ ଜୁଲାଇ ମାସରେ ସେ ଏକ ମାନବ ଚାଲାଣ ରାକେଟ୍‌ର ଶିକାର ହୋଇଥିଲା । ଚାକିରି ଦେବା ଲୋଭ ଦେଖାଇ ଆରୋହୀକୁ ନିଆଯାଇଥିଲା ।

ଆରୋହୀ ନିଜ ମୃତ୍ୟୁ ଖବର ଟିଭିରେ ଦେଖିବା ପରେ ଏ ନେଇ ନିଜ ମାଲିକକୁ କହିଥିଲେ, କିନ୍ତୁ ମାଲିକ ଏ ନେଇ ପୋଲିସକୁ କୌଣସି ସୂଚନା ଦେଇ ନ ଥିଲେ । ଦିନେ ଆରୋହୀ ଲୁଚି ଖସିଆସି ପୋଲିସ ପାଖରେ ପହଞ୍ଚି ପୁରା ଘଟଣା କହିଥିଲେ । ପୋଲିସ୍‌ ତାଙ୍କୁ ଏକ ଏନ୍‌ଜିଓକୁ ହସ୍ତାନ୍ତର କରିଥିଲା । ଏହାପରେ ଆରୋହୀ ନିଜ ଘରେ ସୁରକ୍ଷିତ ଭାବେ ପହଞ୍ଚି ପାରିଥିଲେ । ଝିଅଟି ଜୀବିତ ଥିବା ସମ୍ପର୍କରେ ରାଞ୍ଚି ପୋଲିସ୍‌ ଦିଲ୍ଲୀ ପୋଲିସକୁ ଖବର ଦେଇଥିଲା ।

ଗତ ମେ’ ମାସ ୪ ତାରିଖରେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳର ନିହାଲ ବିହାରରୁ ଜଣେ ନାବାଳିକାର ଖଣ୍ଡବିଖଣ୍ଡିତ ମୃତଦେହ ମିଳିଥିଲା। ମୃତଦେହ ଚିହ୍ନଟ ପାଇଁ ଦିଲ୍ଲୀ ପୋଲିସ୍‌ ଝାଡଖଣ୍ଡରୁ ଝିଅଟିର ଭାଇକୁ ଡକାଇଥିଲା । ଆରୋହୀଙ୍କ ଭାଇ ବି ସେହି ଖଣ୍ଡ ବିଖଣ୍ଡିତ ମୃତଦେହ ନିଜ ଭଉଣୀର ବୋଲି କହିଥିଲେ । କିନ୍ତୁ ଆରୋହୀ ଜୀବିତ ଥିବା ଏବେ ଜଣାପଡ଼ିବା ପରେ ସେହି ଖଣ୍ଡ ବିଖଣ୍ଡିତ ମୃତଦେହ କାହାର ଥିଲା ବୋଲି ସୃଷ୍ଟି ହୋଇଛି ପ୍ରଶ୍ନ ।

Related Posts