ଦ୍ରୁତ ଗତି ନୁହେଁ, ମଇଁଷି ପାଇଁ ମହାନଦୀକୁ ଖସିଥାଇପାରେ ବସ୍‌: ତଦନ୍ତକାରୀ ଟିମ୍‌

ମହାନଦୀ ଉପରୁ ଯାତ୍ରୀବାହୀ ବସ୍‌ ଖସିବା ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ପୂର୍ବରୁ ଦ୍ରୁତ ଗତି ପାଇଁ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ଅନ୍ୟ ପ୍ରକାରର ଆଶଙ୍କା କରିଛନ୍ତି ତଦନ୍ତକାରୀ ଦଳ ।

ଆଜି ଘଟଣାସ୍ଥଳକୁ ଯାଇଥିବା ଅନୁଧ୍ୟାନକାରୀ ଦଳ କହିଛନ୍ତି ଯେ, ‘‘ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଞ୍ଚାଇବାକୁ ଯାଇ ବସ୍ ମହାନଦୀ ପୋଲ ତଳକୁ ଖସିଥାଇପାରେ ।’’

ଏଥି ସହିତ ତଦନ୍ତକାରୀ ଟିମ୍‌ କହିଛନ୍ତି ଯେ, ‘‘ବସ୍‌ଟି ୨୦୧୬ ମସିହାର, ଏଥିରେ ସ୍ପିଡ୍ କଣ୍ଟ୍ରୋଲର ଲଗାଯାଇଥିଲା, ତେଣୁ ଘଣ୍ଟା ପ୍ରତି ୮୦ କିମିରୁ ଅଧିକ ବେଗରେ ଚାଳକ ବସ୍‌କୁ ଚଳାଇପାରିବେ ନାହିଁ ।’’ ଏଥିସହ ପୁରୁଣା ପୋଲର ଦୁର୍ବଳ ବାଡ଼ ବସ୍‌ଟି ତଳକୁ ଖସିବାର ଆଉ ଏକ କାରଣ ବୋଲି ମଧ୍ୟ କହିଛନ୍ତି ତଦନ୍ତକାରୀ ।

ରାଧାକ୍ରିଷ୍ଣନ୍ କମିଟିର ନିର୍ଦ୍ଦେଶ ଆଧାରରେ ଗଠିତ ୩ ଜଣିଆ କମିଟି ଗୁରୁବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏଥିରେ ରୋଡ୍‌ ସେଫ୍‌ଟି ଅଫିସର ଭାବେ ଜୁନିଅର ଏମ୍‌ଭିଆଇ, ଘଟଣାର ତଦନ୍ତ କରୁଥିବା ଜଗତପୁର ଥାନାର ଅଧିକାରୀ ଓ ଏନ୍‌ଏଚ୍‌ଏଆଇର ଅଧିକାରୀ ସାମିଲ ଥିଲେ । ଟିମ୍ ମହାନଦୀ ଭିତରକୁ ବୋଟ୍‌ ଯୋଗେ ଯାଇ ତଦନ୍ତ କରିଛନ୍ତି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି କି ନାହିଁ, ସେ ସମ୍ପର୍କରେ ତଦନ୍ତ ଚାଲିଛି ।

ଏହି କମିଟି ତଦନ୍ତ ରିପୋର୍ଟ ଆର୍‌ଟିଓଙ୍କ ମାଧ୍ୟମରେ ରୋଡ଼ ଟ୍ରାନ୍ସପୋର୍ଟ ଅଥରିଟିରେ ଥିବା ରୋଡ୍ ସେଫ୍‌ଟି ସେଲ୍‌ର ଯୁଗ୍ମ କମିସନରଙ୍କ ନିକଟରେ ଦାଖଲ କରିବେ । ଗତ ମଙ୍ଗଳବାର ସନ୍ଧ୍ୟାରେ ତାଳଚେରରୁ କଟକ ଅଭିମୁଖେ ଆସୁଥିବା ‘ଜଗନ୍ନାଥ’ ନାମକ ଏସି ବସ୍‌ ମହାନଦୀ ପୋଲ ଉପରୁ ତଳକୁ ଖସିପଡ଼ିଥିଲା । ଯେଉଁଥିରେ ୧୦ ଜଣ ପ୍ରାଣ ହରାଇଥିଲେ, 30ରୁ ଅଧିକ ଆହତ ହୋଇଥିଲେ ।

Related Posts