ଭୁବନେଶ୍ୱର,୪/୪ (ସତ୍ୟପାଠ ବ୍ୟୁରୋ):ଝାରସୁଗୁଡା ଉପନିର୍ବାଚନ ପାଇଁ ପର୍ଯ୍ଯବେକ୍ଷକଙ୍କ ନାଁ ଘୋଷଣା କରିଛି ବିଜେଡି । ୩ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଶନ୍ନ ଆଚାର୍ଯ୍ଯ ଓ ସାରଦା ପ୍ରସାଦ ନାୟକଙ୍କୁ ଦଳ ପର୍ଯ୍ଯବେକ୍ଷକ ଭାବେ ନିଯୁକ୍ତ କରିଛି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ାରେ ଉପନିର୍ବାଚନ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ସେପଟେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଦଳ ପକ୍ଷରୁ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ରାଜ୍ୟର ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଉଭୟ ଦଳ ଏହି ନିର୍ବାଚନରେ ନବ ଦାସଙ୍କ ହତ୍ୟା ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ସ୍ପଷ୍ଟ କରି ସାରିଛନ୍ତି। ସେପଟେ ବିଜେଡି ମଧ୍ୟ ଏହାକୁ କାଉଣ୍ଟର କରିବାକୁ ଯୋଜନା ଚଳାଇଛି। ତେବେ ବିଜେପି ଓ କଂଗ୍ରେସ ଏଠାରେ କାହାକୁ ପ୍ରାର୍ଥୀ କରୁଛନ୍ତି ତାକୁ ବର୍ତ୍ତମାନ ସମସ୍ତେ ଅପେକ୍ଷା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଏବେ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ଆସନ୍ତା ଏପ୍ରିଲ ୧୩ ତାରିଖରେ ଗଜେଟ ନୋଟିଫିକେସନ୍ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ’ ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।