ଜିଓ ଗ୍ରାହକ ସାବଧାନ ! ଅନ୍ୟ ନେଟ୍‌ୱର୍କକୁ କଲ୍‌ କଲେ ଗଣିବେ ଟଙ୍କା

ଏଣିକି ଜିଓରୁ ଅନ୍ୟ ନେଟ୍‌ୱର୍କକୁ କଲ୍‌ କଲେ ଲାଗିବ ଅତିରିକ୍ତ ଶୁଳ୍କ । ଜିଓ ବ୍ୟତୀତ ଅନ୍ୟ ନେଟ୍‌ୱର୍କକୁ କଲ୍‌ କଲେ ମିନିଟ ପିଛା ଲାଗିବ ୬ ପଇସା । ଅକ୍ଟୋବର ୧୧ରୁ ଅସ୍ଥାୟୀ ଭାବେ ଲାଗୁ ହେବ ଅତିରିକ୍ତ IUC ଶୁଳ୍କ । ଇଣ୍ଟରକନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି) ବାବଦରେ ଗ୍ରାହକଙ୍କୁ ଏହି ଶୁଳ୍କ ଗଣିବାକୁ ପଡ଼ିବ। ଅନ୍ୟ ମୋବାଇଲ୍ କଂପାନିର ନେଟ୍‌ୱର୍କକୁ ବ୍ୟବହାର କରିବା ଲାଗି ଏହି ଶୁଳ୍କ ଦିଆଯାଏ। ତେବେ ଜିଓ ଗ୍ରାହକଙ୍କୁ ଜିଓ ନମ୍ବର, ଲ୍ୟାଣ୍ଡ୍‌ଲାଇନ୍ ନମ୍ବର ଏବଂ ହ୍ବାଟସ୍‌ଆପ୍‌ ଆଦିରେ ଇଣ୍ଟର‌ନେଟ୍‌ କଲ୍ କରିବା ଲାଗି କୌଣସି ଶୁଳ୍କ ଗଣିବାକୁ ପଡ଼ିବ ନାହିଁ। ପୂର୍ବଭଳି ସେହି କଲ୍‌ ମାଗଣା ରହିବ। ସମସ୍ତ ଇନ୍‌କମିଂ କଲ୍ ମାଗଣା ରହିବ। ଗ୍ରାହକଙ୍କ ଉପରୁ ବୋଝ କମାଇବା ଲାଗି ଜିଓ ପକ୍ଷରୁ ସ୍ବତନ୍ତ୍ର ଘୋଷଣା କରାଯାଇଛି । ଯେଉଁମାନେ ନୂଆ ରିଚାର୍ଜ କରିବେ ସେମାନଙ୍କ ପାଇଁ କଂପାନି ସ୍ବତନ୍ତ୍ର ଆଇୟୁସି ଭାଉଚର୍‌ ଆଣିଛି। ତାହା ୧୦, ୨୦, ୫୦ ଏବଂ ୧୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଛି। ପ୍ରତି ଭାଉଚର୍‌ରେ କିଛି ମିନିଟ୍‌ର କଲ୍‌ ସମୟ ଏବଂ କିଛି ପରିମାଣର ମାଗଣା ଡାଟା ରହିଛି। ପ୍ରତି ୧୦ ଟଙ୍କାର IUC ରିଚାର୍ଜ ପାଇଁ ଜିଓ ଦେବ ୧ ଜିବି ଅତିରିକ୍ତ ଡାଟା, ଅନ୍ୟ ଗ୍ରାହକଙ୍କୁ ହ୍ବାଟ୍‌ସ ଆପ୍‌ ମାଧ୍ୟମରେ କଲ୍‌ କଲେ ଲାଗିବନି ଶୁଳ୍କ । ଏହି ଉପାୟରେ ଗ୍ରାହକଙ୍କ ଖର୍ଚ୍ଚକୁ କଂପାନି ଭରଣା କରିବ ବୋଲି କହିଛି। ଆଜିଠଉ ଯେଉଁ ଗ୍ରାହକମା‌ନେ ନିଜ ଜିଓ ନମ୍ବରକୁ ରିଚାର୍ଜ କରିବେ ସେମାନଙ୍କୁ ଏହି ସ୍ବତନ୍ତ୍ର ଭାଉଚର୍‌ କିଣିବାକୁ ପଡ଼ିବ। ମାତ୍ର ଯେଉଁମାନଙ୍କ ନମ୍ବରରେ ପୂର୍ବରୁ କୌଣସି ପ୍ଲାନ୍ ସକ୍ରିୟ ରହିଛି ତାହାର ଅବଧି ଶେଷ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଏହି ଭାଉଚର୍‌ ଦରକାର ପଡ଼ିବ ନାହିଁ। ସେମାନେ ପୂର୍ବ ଭଳି ଅନ୍ୟ ନମ୍ବରକୁ ମାଗଣାରେ ଆଉଟ୍‌ଗୋଇଙ୍ଗ୍‌ କଲ୍ କରିପାରିବେ ବୋଲି କଂପାନି ପକ୍ଷରୁ କୁହାଯାଉଛି। । TRAI ଦ୍ବାରା ନିର୍ଦ୍ଧାରିତ IUC ଶୁଳ୍କ ଯୋଗୁଁ ମାସିକ ୨୦୦ କୋଟି ଟଙ୍କାର କ୍ଷତି ସହୁଛି ଜିଓ । ୨୦୨୦ ଜାନୁଆରିରୁ ଏହି ଶୁଳ୍କ ଉଚ୍ଛେଦ କରିବାକୁ ସତ୍ୟପାଠ ଦେଇଛି TRAI ।

Related Posts