
ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଆଜି ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟସେବାର ଅନୁଧ୍ୟାନ କରିଛନ୍ତି । ଏହି ପ୍ରତିନିଧିଦଳରେ ରାଜ୍ୟ ୫-ଟି ସଚିବ ଭି.କେ.ପାଣ୍ଡିଆନ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଅଛନ୍ତି ।
ଏହି ପ୍ରତିନିଧିଦଳ ଆଜି ପ୍ରଥମେ ମାଲକାନଗିରି ଜିଲ୍ଲା ଗସ୍ତ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଥିଲେ । ଉପସ୍ଥିତ ରୋଗୀଙ୍କ ସହିତ ସ୍ୱାସ୍ଥ୍ୟସେବା ନେଇ ଆଲୋଚନା କରିବା ସଂଗେ ସଂଗେ ଶ୍ରୀମତୀ ପଣ୍ଡିତ ଆଇସିୟୁ ପରିଦର୍ଶନ କରିଥିଲେ । ସେହିଭଳି ସ୍ତ୍ରୀ ଓ ପ୍ରସୂତୀ, ଡାଏଲେସିସ୍ ଆଦିର ଅନୁଧ୍ୟାନ କରିଥିଲେ । ଲୋକେ ଏଠାରେ କିଭଳି ମାଗଣା ଚିକିତ୍ସା ପାଉଛନ୍ତି ତାହା ସେମାନଙ୍କ ଠାରୁ ପଚାରି ବୁଝିଥିଲେ ।
ଏହାପରେ ଏହି ପ୍ରତିନିଧିଦଳ ସେଠାରେ ଜିଲ୍ଲାପାଳ, ଏସ୍ପି, ସିଡିଏମ୍ଓ ଓ ସ୍ୱାସ୍ଥ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ସେହିଭଳି ନବରଙ୍ଗପୁର ଗସ୍ତରେ ଯାଇ ଏହି ବରିଷ୍ଠ ଅଧିକାରୀମାନେ ମୋ ସରକାର କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଅଧିକାରୀମାନଙ୍କୁ ବୁଝାଇଥିଲେ । ଏଥି ସହିତ ଡାକ୍ତରଖାନା ପରିସରକୁ ସଫାସୁତୁରା ରଖିବା ଏବଂ ରୋଗୀମାନେ ଯେଭଳି ବାହାରୁ କୌଣସି ଔଷଧ ଖରିଦ ନକରନ୍ତି ତାହା ଉପରେ ଦୃଷ୍ଟି ଦେବାକୁ କହିଥିଲେ ।