ଦୁଇ ବର୍ଷ ପରେ ୟୁପି ଜେଲ୍‌ରୁ ମୁକୁଳିଲେ ସାମ୍ବାଦିକ ସିଦ୍ଦୀକୀ କପ୍ପନ୍‌

ଭୁବନେଶ୍ୱର,୨/୨(ସତ୍ୟପାଠ ବ୍ୟୁରୋ): ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତି ଥିବା ଅଭିଯୋଗରେ ଉତ୍ତର ପ୍ରଦେଶରେ ଗରିଫ ହୋଇଥିବା କେରଳର ସାମ୍ବାଦିକ ସିଦ୍ଦୀକୀ କପ୍ପନ୍‌ ୨ ବର୍ଷ ପରେ ଆଜି ଜେଲ୍‌ରୁ ମୁକିଳିଛନ୍ତି। ଲକ୍ଷ୍ନୌ ଜେଲ୍‌ରୁ ତାଙ୍କୁ ମୁକ୍ତ କରିବା ଲାଗି ବୁଧବାର ଦିନ ଲକ୍ଷ୍ନୌ ସେସନ୍‌ କୋର୍ଟ ଜାମିନ ଆଦେଶରେ ସ୍ବାକ୍ଷର କରିଥିଲେ।

ସୂଚନାଯୋଗ୍ୟ ଯେ, ଦୁଷ୍କର୍ମ ପରେ ଜଣେ ଦଳିତ ମହିଳାଙ୍କ ମୃତ୍ୟୁ ଘଟିଥିବା ଘଟଣା ସଂକ୍ରାନ୍ତରେ ରିପୋର୍ଟ କରିବା ନି‌ମ‌ନ୍ତେ ଉତ୍ତର ପ୍ରଦେଶର ହାଥ୍‌ରସ୍‌କୁ ଯାଉଥିବା ବେଳେ ୨୦୨୦ ଅକ୍ଟୋବରରେ କପ୍ପନ ଓ ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଥିଲା। ସମ୍ପ୍ରତି ନିଷିଦ୍ଧ କରାଯାଇଥିବା ସଙ୍ଗଠନ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ ସହିତ ସେମାନଙ୍କର ସମ୍ପୃକ୍ତି ଥିଲା ଏବଂ ସେମାନେ ଘଟଣାସ୍ଥଳରେ ହିଂସା ଉସ୍‌କାଇବା ପାଇଁ ଷଡ଼ଯନ୍ତ୍ର କରୁଥିଲେ ବୋଲି ତାଙ୍କ ନାଁ’ରେ ଅଭିଯୋଗ ହୋଇଥିଲା।

ଏହି ମାମଲାରେ ସେପ୍ଟେମ୍ବର ମାସରେ ସୁପ୍ରିମ୍‌ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ, ପ୍ରବର୍ତ୍ତନ ନିର୍ଦେଶାଳୟଦ୍ବାରା ଦାଏର୍‌ କରାଯାଇଥିବା ‘ମନି ଲଣ୍ଡରିଙ୍ଗ୍‌’ ମାମଲା ଯୋଗୁଁ ସେ ଲକ୍ଷ୍ନୌ କାରାଗାରରେ ରହୁଥିଲେ। ଡିସେମ୍ବର ୨୩ ତାରିଖରେ ଆହ୍ଲାବାଦ ହାଇକୋର୍ଟ ସିଦ୍ଦୀକୀ କପ୍ପନ୍‌ଙ୍କୁ ‘ମିନି ଲଣ୍ଡରିଙ୍ଗ୍‌’ ମାମଲାରେ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ, ବିଚାରପତିଙ୍କ ଅନୁପସ୍ଥିତି ଯୋଗୁଁ ମଙ୍ଗଳବାର ଦିନ ୧ଲକ୍ଷ ଟଙ୍କିଆ ଦୁଇଟି ମୁଚାଲିକା ମଙ୍ଗଳବାର ଦିନ ଅଦାଲତରେ ଦାଖଲ କରାଯାଇ ପାରି ନ ଥିଲା। ବୁଧବାର ଦିନ ଅଦାଲତରେ ଉକ୍ତ ମୁଚାଲିକା ଦୁଇଟି ଦାଖଲ କରାଯିବା ପରେ ଆଜି ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି।

ମାଆଙ୍କ ମୃତ୍ୟୁ ଯୋଗୁଁ ତାଙ୍କର ମନ ଭଲନାହିଁ ବ‌ୋଲି ସିଦ୍ଦୀକୀ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ଘରକୁ ଯାଉଥିବେଳେ କୋଳେଇ ନେବାକୁ ମାଆ ନ ଥିବା କଥା ମତେ ଖୁବ୍‌ ବ୍ୟଥିତ କରୁଛି।

Related Posts