ଅଦାନୀ ଗ୍ରୁପ୍‌ର ସେୟାର୍‌ ମୂଲ୍ୟ ହ୍ରାସ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ, ସଂସଦର ଉଭୟ ଗୃହ ମୁଲତବୀ

ଭୁବନେଶ୍ୱର,୨/୨(ସତ୍ୟପାଠ ବ୍ୟୁରୋ): ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ଗତକାଲି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିଥିବାବେଳେ ଆଜି ଅଧିବେଶନ ଆରମ୍ଭ ହେବାର କିଛି ସମୟ ପରେ ବିରୋଧୀମାନଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

‘ହି‌ଣ୍ଡେନ୍‌ବର୍ଗ’ ରିପୋର୍ଟ ଏବଂ ସେଥିଯୋଗୁଁ ‘ଅଦାନୀ ଗ୍ରୁପ୍‌’ ସେୟାର୍‌ର ମୂଲ୍ୟ ହ୍ରାସ ବିଷୟରେ ଆଲୋଚନା କରିବାକୁ ବିରୋଧୀ ଦଳ ସବୁ ଦାବି କରିବାରୁ ସଂସଦରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଏହାଛଡ଼ା, ସୀମାନ୍ତରେ ଚୀନ୍‌ର ଅନୁପ୍ରବେଶ ପ୍ରସଙ୍ଗ ମଧ୍ୟ ଉଠାଇବାକୁ ବିରୋଧୀମାନେ ଚାହିଁଥିଲେ।

ମିଳିଥିବା ସୂଚନା ଅନୁସାରେ, ‘ଅଦାନୀ ଗ୍ରୁପ୍‌’ ଉପରେ ‘ହିଣ୍ଡେନ୍‌ବର୍ଗ’ ରିପୋର୍ଟ ବିଷୟରେ ଆଲୋଚନା କରିବା ଲାଗି ରାଜ୍ୟସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ୍‌ ଖଡ଼ଗେ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ‘ଭାରତ ରାଷ୍ଟ୍ର ସମିତି’ ସଂସଦର ଉଭୟ ଗୃହରେ ପ୍ରସ୍ତାବ ଆଗତ କରିଥିଲା।

ଆଜି ସକାଳେ ସଂସଦରେ ଥିବା କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ୍‌ ଖଡ଼ଗେଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଯୋଗ ଦେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ଓ ବଜେଟ୍‌ ବିଷୟରେ ସରକାରଙ୍କୁ ଘେରିବା ପାଇଁ ମିଳିତ ରଣକୌଶଳ ପ୍ରସ୍ତୁତ କରିଥିଲେ ବିରୋଧୀ। ‘ଡିଏମ୍‌କେ’, ‘ତୃଣମୂଳ କଂଗ୍ରେସ’, ‘ସମାଜବାଦୀ ପାର୍ଟି’, ‘ଜନତା ଦଳ (ୟୁ)’, ‘ଶିବସେନା’, ‘ସିପିଏମ୍‌’, ‘ସିପିଆଇ’, ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’, ‘ଆଇୟୁଏମ୍‌ଏଲ୍‌’, ‘ଆପ୍‌’, ‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌’ ଏବଂ ‘କେରଳ କଂଗ୍ରସ’ ପ୍ରଭୃତି ଦଳର ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ।

Related Posts