ଦିଲ୍ଲୀରେ ନାବାଳିକା ବଳାତ୍କାର ଓ ହତ୍ୟା ମାମଲା : ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍‌ ହଟାଇଲା ଟ୍ୱିଟର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍‌କୁ ହଟାଇଲା ଟ୍ୱିଟ୍‌ର । ଦିଲ୍ଲୀର ୯ ବର୍ଷର ଦଳିତ ନାବାଳିକାକୁ ବଳାତ୍କାର କରି ହତ୍ୟା ଘଟଣା ପରେ ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିଥିଲେ । ଭେଟିବା ସମୟର ଫଟୋକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଥିଲେ ଯେଉଁଥିରେ ପୀଡିତାଙ୍କ ପିତାମାତା ମଧ୍ୟ ନଜର ଆସିଥିଲେ ।

 ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ପୀଡିତାଙ୍କ ପରିବାରର ପରିଚୟ ପ୍ରକାଶ କରିଥିବାରୁ ରାହୁଲ ଗାନ୍ଧୀ ସମାଲୋଚନାର ଶିକାର ହୋଇଥିଲେ। ଏ ନେଇ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍‌ଡ ରାଇଟ୍‌ସ୍ (ଏନସିପିସିଆର) ରେ ଅଭିଯୋଗ ହୋଇଥିଲା। ଏହା ପରେ ଏନସିପିସିଆର ଟ୍ବିଟର ଇଣ୍ଡିଆକୁ ନୋଟିସ୍ ଜାରି କରି ଥିଲେ । ନୋଟିସ୍ ପାଇବା ପରେ ଟ୍ୱିଟର ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟ୍ୱିଟକୁ ହଟାଇ ଦେଇଛି । 

ଟ୍ୱିଟର ଇଣ୍ଡିଆର ଅଭିଯୋଗ ଅଧିକାରୀଙ୍କୁ ଏନସିପିସିଆର ଲେଖିଥିବା ଚିଠିରେ କୁହାଯାଇଛି ଯେ କୌଣସି ନାବାଳକ ପୀଡିତାଙ୍କ ପାରିବାରିକ ଚିତ୍ର ଟ୍ୱିଟରରେ ପୋଷ୍ଟ କରିବା ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ, ୨୦୧୫ ଏବଂ ଶିଶୁ ନିରାକରଣର ଧାରା ୨୩ ର ଉଲ୍ଲଂଘନ ଅଟେ । ଏବଂ ଯୌନ ଅପରାଧ ଅଧିନିୟମ (POCSO) ଉଲ୍ଲଂଘନ ଅଟେ । ଏହି ଅଭିଯୋଗ ପତ୍ର ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ରାହୁଲଙ୍କ ଟ୍ୱିଟକୁ ହଟାଇ ଦେଇଛି ।

ସୂଚନା ମୁତାବକ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଏକ ଶ୍ମଶାନରେ ନଅ ବର୍ଷର ଦଳିତ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ରବିବାର ନାବାଳିକା ଜଣକ ଘର ପାଖରେ ଥିବା ମଶାଣି ନିକଟସ୍ଥ କଳରୁ ପାଣି ଆଣିବାକୁ ଯାଇଥିବା ବେଳେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା ।

 ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରି ବଳପୂର୍ବକ ନାବାଳିକାର ମୃତଦେହକୁ ଜଣେ ପୂଜାରି ଓ ଶ୍ମଶାନରେ କାମ କରୁଥିବା ୩ ଜଣ ଲୋକ ପୋତି ଦେଇଥିଲେ । ନାବାଳିକାର ରହସ୍ୟମୟ ମୃତ୍ୟୁ ଏବଂ ପରିବାର ଲୋକଙ୍କୁ ନଜଣାଇ ଶବଦାହ କରିଥିବାରୁ ପରିବାର ଲୋକେ ବଳାତ୍କାର ଅଭିଯୋଗ ଆଣିଥିଲେ। ଏହି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସେ ସମୟ ଫଟୋକୁ ଟ୍ୱିଟରରେ ସେୟାର କରି ବିବାଦ ଘେରକୁ ଆସିଥିଲେ।

Related Posts