ଅଗଷ୍ଟ ୨୦ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳାଫଳ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଅଗଷ୍ଟ ୨୦ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳାଫଳ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ କରିବା ନେଇ ଜୋରଦାର ଉଦ୍ୟମ  ଚାଲିଛି। ଚଳିତ ବର୍ଷ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ସତ୍ତ୍ୱେ  ଗତବର୍ଷ ତୁଳନାରେ ଚଳିତ ବର୍ଷ ଯୁକ୍ତ ୨ ନାମଲେଖା  ଠିକ୍ ସମୟରେ ଆରମ୍ଭ ହେବ ।  ଅଫଲାଇନ୍‌ ପରୀକ୍ଷା ଦେଇଥିବା ପିଲାଙ୍କୁ ବି ନାମ ଲେଖା ପାଇଁ ଯଥେଷ୍ଟ ସୁଯୋଗ ମିଳିବ।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ , ଗତ ବର୍ଷ କିଛି ଅସୁବିଧା ନଥିବାରୁ ଅଗଷ୍ଟ ୨୧ରେ ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା କିନ୍ତୁ ଚଳିତ ବର୍ଷ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସତ୍ବେ ସପ୍ତାହେ ପୂର୍ବରୁ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ ହେବ। 

ଅନ୍ୟ ପକ୍ଷରେ , ଆସନ୍ତା ୧୨ ତାରିଖରୁ ମାଟ୍ରିକ ଅଫଲାଇନ୍‌ ଖାତା ଦେଖା ଆରମ୍ଭ ହେବ । ଏବଂ ଆସନ୍ତା ୨୦ ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ ପାଇଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିପାଇଁ ବୋର୍ଡ  ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ଖୁବ୍‌ ଶୀଘ୍ର ତାରିଖ ଘୋଷଣା କରାଯିବ । ଅଫଲାଇନ୍‌ ପରୀକ୍ଷା ଦେଇଥିବା କୌଣସି ପିଲା ଯେପରି ଯୁକ୍ତ ୨ରେ ଆଡମିଶନ ପାଇବାରୁ ବଞ୍ଚିତ ନ ହୁଅନ୍ତି ତା’ ଉପରେ ବି ନଜର ରଖାଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଯଦି ଆବଶ୍ୟକ ପଡେ ତେବେ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା  ଗୋଟିଏ ମାସ ସ୍ଥଗିତ ରଖିବାକୁ  ସ୍ଥିର କରିଛୁ ବୋଲି କହିଛନ୍ତି ମନ୍ତ୍ରୀ।

ଚଳିତ ବର୍ଷ ଆହୁରି ୫୫ ହଜାରରୁ ଅଧିକ ସିଟ ବୃଦ୍ଧି କରିବା ପାଇଁ କଲେଜଗୁଡିକ ପକ୍ଷରୁ ଆବେଦନ କରାଯାଇଛି ,ତେବେ ଏମିତି ହେଲେ ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ପାଇଁ ଲାବୋରେଟୋରୀ ସମସ୍ୟା ହୋଇପାରେ । ତେଣୁ ଏସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି ଏବଂ ଗତକାଲି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କିତ ଆଲୋଚନା ହୋଇଛି ଏବଂ ଲାବୋରେଟୋରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଥିବା ମନ୍ତ୍ରୀ କହିଛନ୍ତି ।

Related Posts