‘କାଳିଆ ସୁନା’ : ମାସକରେ ୬୦ ଲକ୍ଷ

ଭୁବନେଶ୍ୱର- ୨୦୧୯ ନିର୍ବାଚନରେ ନିର୍ଣ୍ଣାୟକ ଭୁମିକା ନେବ କାଳିଆ ଯୋଜନା । ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ବିତରଣ ପୂର୍ବରୁ ୬୦ଲକ୍ଷ ଚାଷୀ ଆବେଦନ କରି ସାରିଲେଣି । ଅର୍ଥାତ ସବୁ ଯୋଜନାର ବାପା ହୋଇଗଲାଣି କାଳିଆ । ଏକ୍ସପର୍ଟଙ୍କ କହିବା କଥା ଆଉ ଟଙ୍କିକିଆ ଚାଉଳ ନୁହେଁ, ବରଂ ୨୦୧୯ରେ କାଳିଆ ହିଁ ହେବ ବିଜେଡିର ଭରସା ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉଭୟ ବିଜେପି ଓ କଂଗ୍ରେସର ଅଲକ୍ଷ୍ୟରେ କାଳିଆ ଯୋଜନା ଯେଭଳି ଭାବେ ରଙ୍ଗ ଧରି ଦେଇଛି ଏହାକୁ ନେଇ ଉଭୟ ଦଳର ଅକଲ ଗୁଡୁମ୍ । ପରିସ୍ଥିତି ଏଭଳି କାଳିଆ ବିରୋଧରେ କହିଲେ ମଲେ, ସପକ୍ଷରେ କହିଲେ ବି ମଲେ । କଂଗ୍ରେସ ଆଶା କରୁଥିଲା, ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ଋଣଛାଡ ଓ ଧାନକିଣାରେ ସବସିଡି ଘୋଷଣା କରି ଚାଷୀ ଭୋଟକୁ ହାତେଇ ନେବ । ଯାହା ଏବେ କଷ୍ଟକର ଲାଗୁଛି । ତେଣୁ ନବୀନ କାଳିଆକୁ ସାମ୍ନାକୁ ଆଣ କୃଷକ ଭୋଟ ବ୍ୟାଙ୍କ ଉପରେ ଏମିତି ଚେକ ଦେଇଛନ୍ତି, ଯାହା କଂଗ୍ରେସ ଓ ବିଜେପିକୁ ଖାପଚାରେ ପକାଇ ଦେଇଛି ।

ବିଜେପି କଣ କରିବ ନକରିବ ବାଟ ପାଉ ନଥିବା ବେଳେ କଂଗ୍ରେସର ମୁଣ୍ଡ କାମ କରୁ ନଥିବା ଭଳି ଲାଗୁଛି । ଯାହାକି ନିରଂଜନ ପଟ୍ଟନାୟକଙ୍କ ଆଜିର ସାମ୍ବାଦିକ ସମ୍ମିଳନୀରୁ ବୁଝାପଡୁଛି । ସାମ୍ବାଦିକ ସମ୍ମିଳନୀରେ ନିରଂଜନ କହିଛନ୍ତି ଜରୁରୀ କାଳୀନ ଫଣ୍ଡରୁ ଟଙ୍କା ଉଠାଇ ନବୀନ ଚାଷୀଙ୍କୁ କାଳିଆ ଟଙ୍କା ବାଣ୍ଟିବେ । ରାଜ୍ୟ ସରକାର କଣ୍ଟିଜେନ୍ସି ଫଣ୍ଡରୁ ୭୩୪ କୋଟି ଟଙ୍କା ଉଠାଇଥିବା ସୂଚନା ଦେଇଛନ୍ତି ନିରଂଜନ ।

କିନ୍ତୁ ବଡ କଥା ହେଉଛି କାଳିଆ ଯୋଜନାରେ ଆବେଦନ କରିଥିବା ୬୦ଲକ୍ଷ ଚାଷୀଙ୍କ ମଧ୍ୟରୁ ଅନେକ ଏହି ଜରୁରୀକାଳୀନ ଫଣ୍ଡ କଣ ଓ ଏହାର କାମ କଣ ବୋଲି ଜାଣି ଥିବେ କି ନାହିଁ ସନ୍ଦେହ । ଏମିତିକି ପ୍ରାୟତଃ ସମସ୍ତଙ୍କ ମୂଳ ଉଦ୍ଦେଶ୍ୟ ଥିବ ଏହି ଯୋଜନାର ଲାଭ ଉଠାଇବା ବା ସହାୟତା ପାଇବା । ଏପରିସ୍ଥଳେ ପିସିସି ସଭାପତିଙ୍କ ଏହି ପ୍ରେସମିଟ ସେମାନଙ୍କୁ ବିରୋଧ କଲାଭଳି ଲାଗିପାରେ ବୋଲି ଆଲୋଚନା ହେଉଛି । ବିଜେପି ଏହି ଯୋଜନା ବାବଦରେ ମାପି ଚୁପି କଥା କହୁଥିବା ବେଳେ କଂଗ୍ରେସ ମଧ୍ୟ ଏହି ଧାରାରେ ନଗଲେ ହଇରାଣ ହୋଇପାରେ ବୋଲି କୁହାଯାଉଛି । ୨୦୧୯ ନିର୍ବାଚନରେ ସବୁ ଓଲଟ ପାଲଟ କରି ଦେଇପାରେ ଏହି କାଳିଆ । ଲାଗୁଛି କଂଗ୍ରେସ ଓ ବିଜେପି କ୍ୟାମ୍ପରେ ଏହି କାଳିଆ କଳାକନା ବୁଲାଇଦେବ ।

Related Posts