କେଉଁଝର ପଲିଟିକ୍ସ : ମହାକୁଡ ବନାମ ଆପଟ

କେନ୍ଦୁଝର- କେଉଁଝର ରାଜନୀତିକୁ ଲେଉଟିଛି ମହାକୁଡ ବନାମ ଆପଟ ଲଢ଼େଇ । ଯଦିଓ ବିଜେଡି କେଉଁଝରରେ ଅଧିକ ସିଟ ରଖିଛି ହେଲେ ୨୦୧୯ରେ ସନା ମହାକୁଡ ହିଁ ହେବେ କେଉଁଝର ଲୋକସଭା ଅଧିନରେ ଥିବା ୭ଟା ବିଧାନସଭା ଆସନର ଗେମ୍ ଚେଞ୍ଜର । ଯେଉଁ ପାଟିକୁ ଢ଼ଳିବେ, ସେ ପାର୍ଟି ଅଧିକ ଆସନ ପାଇବାର ଆଶା ଅଧିକ ।

ସନା ନିଜେ ତିଆରି କରିଥିବା ଜନ ସମୃଦ୍ଧି ପାର୍ଟିକୁ ହଠାତ ଛାଡିବା, ସେପଟେ ବଦ୍ରିଙ୍କର ଡାହାଣ ହାତ କୁହାଯାଉଥିବା କେଉଁଝରର କୁଶ ଆପଟଙ୍କ ଉପରୁ ବିଜେଡି ସାଢ଼େ ଚାରିବର୍ଷ ତଳର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ରାଜନୀତିକ ଦୃଷ୍ଟିକୋଣରୁ ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ । ଯାହା ଶୁଣିବାକୁ ମିଳୁଛି ବିଜେଡି ଓ ସନା ମହାକୁଡଙ୍କ ଭିତରେ ବହୁ ଦିନରୁ କେଉଁଝରରେ ଗଠବନ୍ଧନ ନେଇ ଚାଲିଥିବା କଥାବାର୍ତ୍ତା ସଫଳ ହେଲାନି । ତେଣୁ ସନା କଂଗ୍ରେସରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସନା ମହାକୁଡ ଚମ୍ପୁଆର ସ୍ୱାଧିନ ବିଧାୟକ । ଆଉ ତାଙ୍କର ତୀବ୍ର ପ୍ରତିଦ୍ୱନ୍ଦି ହେଉଛନ୍ତି କୁଶ ଆପଟ । ଯାହାଙ୍କୁ ବିଜେଡି ଗତଥର ଟିକଟ ଦେଇ ନଥିଲା ବୋଲି ସେ ସ୍ୱାଧିନ ଭାବରେ ଲଢ଼ିଥିଲେ ଓ ନିଲମ୍ବନ ହୋଇଥିଲେ । ସନା ବିଜେଡିକୁ ସମର୍ଥନ ଦେଇଥିଲେ । ଆଉ ତାଙ୍କର ଏକମାତ୍ର ସର୍ତ୍ତ ଥିଲା କୁଶ ଆପଟକୁ ନିଲମ୍ବନ କରି ରଖାଯାଉ । ସେ ଦୃଷ୍ଟିରୁ ସନା ନିଜ ଦଳରୁ ନିଜେ ଇସ୍ତଫା ଦେବା ଓ ସେପଟେ କୁଶ ଆପଟଙ୍କ ଉପରୁ ବିଜେଡି ନିଲମ୍ବନ ଉଠାଇ ଦେବା ସ୍ପଷ୍ଟ କରୁଛି ଯେ, ସନାଙ୍କର ନବୀନଙ୍କ ସହ ସଂପର୍କ ଛିନ୍ନ ହୋଇଛି ।

କେଉଁଝର ରାଜନୀତିର ଦୃଶ୍ୟପଟ ଯାହା କହୁଛି ସନା ଯେଉଁଦଳକୁ ସମର୍ଥନ କରିବ, ସେ ବରଦାନ ପାଇବ । ତେଣୁ ସେ ଦୃଷ୍ଟିରୁ ସନା କଂଗ୍ରେସରେ ଯୋଗଦେବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦି ଆପଟ ବିଜେଡିର ପ୍ରାର୍ଥୀ ହୁଅନ୍ତି ଚମ୍ପୁଆରେ କିନ୍ତୁ ସନାଙ୍କ ଜିତିବା କଷ୍ଟକର ହୋଇପାରେ । କାରଣ ୨୦୦୯ର ଚିତ୍ର ଯଦି ଦେଖାଯାଏ କଂଗ୍ରେସରୁ ପ୍ରାର୍ଥୀ ହୋଇ ସନାତନ ୨୭,୫୫୫ ଭୋଟ ପାଇଥିବା ବେଳେ ସ୍ୱାଧିନ ପ୍ରାର୍ଥୀ ହୋଇ କୁଶ ଆପଟ ପାଇଥିଲେ ୨୬,୨୮୦ ଭୋଟ । ମାତ୍ର ୧ ପ୍ରତିଶତର ଭୋଟ ବ୍ୟବଧାନ ଥିଲା ଏମାନଙ୍କ ଭିତରେ । ଆଉ ବିଜେଡିରୁ ବିଜୟୀ ହୋଇଥିବା ଜିତୁ ପଟ୍ଟନାୟକ ବି ସନାଙ୍କ ଠାରୁ ମାତ୍ର ୧ ପ୍ରତିଶତ ଭୋଟ ଅଧିକ ପାଇଥିଲେ ।

Related Posts