ମାଲକାନଗିରିରୁ ଜବତ ହେଲା କଲରାପତରିଆ ବାଘ ଛାଲ, ୩ ଗିରଫ

ଭୁବନେଶ୍ୱର, ୧୯/୧(ସତ୍ୟପାଠ ବ୍ୟୁରୋ): ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଅନ୍ତର୍ଗତ ପୋଟେରୁତ କେନାଲ ରାସ୍ତାରୁ ଜବତ ହେଲା କଲରାପତରିଆ ବାଘ ଛାଲ। ଛାଲ ଜବତ ହେବା ସହିତ ୩ ଗିରଫ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଙ୍ଗିପାଲି ଗାଁର ମୁକେଶ ମାଡ଼କାମି, ପେଣ୍ଟା ମାଡ଼କାମି ଓ ଦୁଲା ମାଡ଼କାମି।

ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମାଙ୍ଗିପାଲି ଗାଁର ମୁକେଶ ମାଡ଼କାମି, ପେଣ୍ଟା ମାଡ଼କାମି ଓ ଦୁଲା ମାଡ଼କାମି ଏକ ମୋଟର ସାଇକେଲ୍ ଯୋଗେ ବାଘ ଛାଲ ନେଇ ଆନ୍ଧ୍ର ପ୍ରଦେଶ ବିକ୍ରି କରିବାକୁ ଯାଉଥିଲେ। ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଚଢାଉ କରିଥିଲା। ସେମାନଙ୍କ ନିକଟରୁ ଏକ କଲରାପତରିଆ ବାଘ ଛାଲ ଜବତ କରିଥିଲା। ଜବତ ହୋଇଥିବା ବାଘ ଛାଲର ଲମ୍ଵ ୧.୧୩ ମିଟର ହୋଇଥିବା ସୂଚନା ମିଳିଛି। ଏହି ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ମାଲକାନଗିରି ଡିଏଫଓ କହିଛନ୍ତି।

Related Posts