​ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ଭିଡ଼ ହିଂସା (ମବ୍ ଲିଞ୍ଚିଂ) ମାମଲାକୁ ରାଜ୍ୟ ପୋଲିସ ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଏହି ସମ୍ବେଦନଶୀଳ ମାମଲାକୁ ‘ରେଡ୍‌ ଫ୍ଲାଗ୍‌’ ଶ୍ରେଣୀଭୁକ୍ତ କରାଯାଇଛି। ଏହି ଘଟଣାର ସୁଚାରୁ ଓ ନିରପେକ୍ଷ ତଦନ୍ତ ପାଇଁ ମହିଳା ଓ ଶିଶୁ ସୁରକ୍ଷା ଶାଖା (CAW & CW) ର ଅତିରିକ୍ତ ଡିଜିପି (ଏଡିଜି) ବରିଷ୍ଠ ଆଇପିଏସ୍ ଅଧିକାରୀ ଏସ୍. ସାଇନିଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି।

​ଡିଜିପିଙ୍କ ନିର୍ଦ୍ଦେଶାନୁସାରେ, ଏଡିଜି ଏସ୍‌. ସାଇନିଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ CAW ଟିମ୍ ଖୁବ୍‌ଶୀଘ୍ର ରାୟଗଡ଼ା ଗସ୍ତ କରି ସରଜମିନ ତଦନ୍ତ କରିବେ। ଘଟଣାର ସମସ୍ତ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଆବଶ୍ୟକ ପଡ଼ିଲେ ପୋଲିସର ଏହି ସ୍ୱତନ୍ତ୍ର ଟିମ୍ ଦିଲ୍ଲୀ ଯାଇ ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବ ବୋଲି ସୂଚନା ମିଳିଛି।

​ଅନ୍ୟପକ୍ଷରେ, ଉକ୍ତ ଭିଡ଼ ହିଂସାରେ ନିର୍ଦ୍ଦୟ ଭାବେ ଆକ୍ରମଣର ଶିକାର ହୋଇଥିବା ଉଭୟ ଯୁବକ ଓ ଯୁବତୀଙ୍କ ବୟାନ ପୋଲିସ ଦ୍ୱାରା ରେକର୍ଡ କରାଯାଇଛି। ଏହି ମାମଲାରେ ରାୟଗଡ଼ା ପୋଲିସ ତତ୍ପରତା ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆଗକୁ ଏହି ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।

​ଘଟଣା ସମ୍ପର୍କରେ ଜଣାପଡ଼ିବା ମାତ୍ରେ ରାୟଗଡ଼ା ପୋଲିସ ଯେଉଁଭଳି ଭାବେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି, ତାହାକୁ ଡିଜିପି ଶ୍ରୀ ଖୁରାନିଆ ଉଚ୍ଚ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ଏହି ମାମଲା ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହୋଇଥିବାରୁ ଏଡିଜି ଏସ୍‌. ସାଇନିଙ୍କ ତତ୍ତ୍ୱାବଧାନରେ ଏହାର ଦ୍ରୁତ ବିଚାର କରାଯାଇ ଦୋଷୀମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରାଯିବା ସହ ପୀଡ଼ିତଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ପୋଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରକାଶ।