କେନ୍ଦୁଝରରେ କଙ୍ଗାରୁ କୋର୍ଟ : ଅନ୍ୟ ଜାତିରେ ବିବାହ କରିବାରୁ ଯୁବକଙ୍କୁ ୨୫ ଲକ୍ଷ ଜୋରିମାନା, ଗାଁ ଛାଡ଼ିଲେ ଦମ୍ପତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଦିବାସୀ ଯୁବକ ଅଲଗା ଜାତିରେ ବିବାହ କରିବାରୁ ଗାଁ ରେ ବସିଲା କଙ୍ଗାରୁ କୋର୍ଟ। କଙ୍ଗାରୁ କୋର୍ଟରେ ଯୁବକଙ୍କୁ ୨୫ ଲକ୍ଷ ଟଙ୍କା ଜୋରିମାନା ଲଗାଯାଇଥିଲା, କିନ୍ତୁ ଯୁବକ ଏତେ ପରିମାଣର ଟଙ୍କା ଦେବା ପାଇଁ ଅସମର୍ଥ ଥିବାରୁ ଉଭୟ ଯୁବକ ଯୁବତୀଙ୍କୁ ଗାଁ ଛାଡ଼ି ଅନ୍ୟତ୍ର ରହିବାକୁ ପଡୁଛି। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ଘାସିପୁରା ଥାନା ଅନ୍ତର୍ଗତ ଖଲାମେଣ୍ଟା ପଞ୍ଚାୟତର ନିୟାଳିଧରା ଗାଁରେ ।

ଇଣ୍ଡିଆନ୍ ଏକ୍ସପ୍ରେସ ସୂତ୍ରରୁ ପ୍ରକାଶିତ ରିପୋର୍ଟ ମୁତାବକ ସନ୍ଥାଳ ଜନଜାତିର ୨୭ ବର୍ଷିୟ ମହେଶ୍ୱର ବାସ୍କେ ନାଗାଡିହିର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଯୁବତୀ ଜଣକ ଅନ୍ୟ ଜାତିର ହୋଇଥିବା କାରଣରୁ ସେମାନଙ୍କ ବିବାହ ପରେ ଦମ୍ପତି କିଛି ଦିନ ପାଇଁ ବାହାରେ ରହିଥିଲେ। କିନ୍ତୁ ଜୁଲାଇ ୨୭ ତାରିଖ ଦିନ ମହେଶ୍ୱର ତାଙ୍କ ପତ୍ନୀଙ୍କୁ ନେଇ ପୈତୃକ ଗାଁକୁ ଫେରିଥିଲେ।

କିନ୍ତୁ ଗ୍ରାମବାସୀ ମହେଶ୍ୱରଙ୍କ ବିବାହକୁ ବିରୋଧ ଜଣାଇଥିଲେ। ମହେଶ୍ୱର ଅନ୍ୟ ଜାତିରେ ବିବାହ କରିଥିବା କାରଣରୁ ଗ୍ରାମବାସୀ ଆପତ୍ତି ଜଣାଇଥିଲେ। ଏବଂ ସେମାନଙ୍କୁ ଗାଁ ରେ ସ୍ଥାନ ମିଳିବ ନାହିଁ ବୋଲି ଜଣାଇ ଦେଇଥିଲେ। କିନ୍ତୁ ମହେଶ୍ବର ଗ୍ରାମବାସୀଙ୍କୁ ସ୍ପଷ୍ଟ କରିଥିଲେ ଯେ ତାଙ୍କ ପତ୍ନୀ ମଧ୍ୟ ଜଣେ ଆଦିବାସୀ ଏବଂ ସେମାନେ ପରସ୍ପରର ସହମତିରେ ବିବାହ କରିଛନ୍ତି ।କିନ୍ତୁ ନବ ବିବାହିତା ଦମ୍ପତିଙ୍କୁ ଗ୍ରାମବାସୀଙ୍କ ସ୍ବୀକାର କରି ନଥିଲେ।

କଙ୍ଗାରୁ କୋର୍ଟରେ ୨୫ ଲକ୍ଷ ଟଙ୍କା ଜୋରିମାନା

ଏହା ପରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ। ଏଥିରେ ମହେଶ୍ୱରଙ୍କ ଉପରେ ୨୫ ଲକ୍ଷ ୬୦ ହଜାର ଟଙ୍କା ଜୋରିମାନା ଲଗା ଯାଇଥିଲା। ଗାଁର ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ ଯେ ଯଦି ସେ ଜୋରିମାନା ନ ଦିଅନ୍ତି, ତେବେ ଗାଁର କୌଣସି ସାମାଜିକ, ଧାର୍ମିକ କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ସାମିଲ ହେବା ପାଇଁ ସେମାନଙ୍କୁ ଅନୁମତି ଦିଆଯିବ ନାହିଁ । ତେବେ ମହେଶ୍ୱର ୨୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ଅସମର୍ଥ ଥିବା ହେତୁ ଗାଁ ଛାଡ଼ି ମାମୁଁ ଘରେ ଆଶ୍ରୟ ନେଇଥିଲେ।

ପୋଲିସ ତଦନ୍ତ ଜାରି

ସ୍ଥାନୀୟ ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି। ଘାସିପୁରାର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ମନୋରଂଜନ ବିସି କହିଛନ୍ତି ଯେ ଏ ବାବଦରେ ଆମ ପାଖକୁ କୌଣସି ଆନୁଷ୍ଠାନିକ ଅଭିଯୋଗ ଆସି ନାହିଁ, କିନ୍ତୁ ଘଟଣାର ତଦନ୍ତ ପାଇଁ ଆମେ ଗ୍ରାମରେ ପହଞ୍ଚିଛୁ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ସୁମଙ୍ଗଳ ଯୋଜନା ଆଧାରରେ ଆନ୍ତଃ-ଜାତି ବିବାହ ଦ୍ବାରା ସାମାଜିକ ଏକତା ବଢିବା ସହିତ ଏହା ଜାତିଗତ ବାଛବିଚାର ହ୍ରାସ କରେ ଏବଂ ସମାଜରେ ସମାନତା ଓ ଶାନ୍ତିପୂର୍ଣ୍ଣ ସହବସ୍ଥାନ ବୃଦ୍ଧି କରେ। ଆନ୍ତଃ-ଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀମାନେ ସୁମଙ୍ଗଳ ପୋର୍ଟାଲରେ ଆବେଦନ ୬୦ ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ଆକାରରେ ଅଢେଇ ଲକ୍ଷ ଟଙ୍କା ପାଇବାର ପ୍ରାବଧାନ ରହିଛି।

Related Posts