(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୀର୍ଘ ଦିନ ପରେ ଅଗଷ୍ଟ ୧୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ । ଅଗଷ୍ଟ ୧୬ରୁ ୨୦ ତାରିଖ ପୁରୀବାସୀ ମହାପ୍ରଭୁଙ୍କ ରତ୍ନବେଦୀରେ ଦର୍ଶନ କରିବେ । ଏବଂ ୨୧ ଓ ୨୨ ତାରିଖ ସଟଡାଉନ ଥିବାରୁ ଦର୍ଶନ ବନ୍ଦ ରହିବ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ମନ୍ଦିର ଖୋଲିଲେ ମଧ୍ୟ ସବୁ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । କେବଳ ଦ୍ୱିତୀୟ ଡୋଜ ଟୀକା ନେଇଥିଲେ କିମ୍ବା ଆରଟି-ପିସିଆର ରିପୋର୍ଟ ନେଗେଟିଭ ଥିଲେ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ମନ୍ଦିର ଖୋଲୁଥିବା ବେଳେ ସାନିଟାଇଜେସନ ପାଇଁ ସବୁ ସୋମବାର ଦିନ ମନ୍ଦିର ବନ୍ଦ ରହିବ ବୋଲି ଜଣାପଡ଼ିଛି । ୬୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ବୟସ୍କଙ୍କ ପ୍ରବେଶ ଉପରେ କଟକଣା ରହିଛି ।
ଶ୍ରୀମନ୍ଦିର ବ୍ୟତୀତ ପୁରୀ ସହରର ଅନ୍ୟ ସମସ୍ତ ଧର୍ମପୀଠ ଖୋଲିବା ନେଇ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । କୋଭିଡ୍ ଗାଇଡଲାଇନ୍ ଭିତରେ ସହରର ସମସ୍ତ ମଠ, ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବ ବୋଲି ଗତକାଲି ପୁରୀ ପ୍ରଶାସନ ସୂଚନା ଦେଇଥିଲା। ସୂଚନା ମୁତାବକ ସପ୍ତାହନ୍ତ ସଟଡାଉନରେ ପୁରୀ ସହରକୁ ଭକ୍ତ, ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏପଟେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।
ଗର୍ଭବତୀ ମହିଳା ଓ ଅନ୍ୟ ରୋଗରେ ପୀଡ଼ିତ ଲୋକଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି । କୋଭିଡ୍ କାରଣରୁ ଭକ୍ତ ମାନେ ମନ୍ଦିର ଭିତରକୁ ପୂଜା ସାମଗ୍ରୀ ନେଇ ଯାଇ ପାରିବେ ନାହିଁ କିମ୍ବା ମନ୍ଦିର ଭିତରେ ବସି ପାରିବେ ନାହିଁ ।ଗାଇଡ୍ଲାଇନ ସହ ସୋସିଆଲ ଡିଷ୍ଟାନ୍ସ ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି ।