କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କ ଦୃଢୋକ୍ତି – ” ମୁଖ୍ୟମନ୍ତ୍ରୀ ପଦ ପାଇଁ ତତ୍ପରତା ନାହିଁ “

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବ, ରାଜସ୍ଥାନ ପରି କର୍ଣ୍ଣାଟକ କଂଗ୍ରେସରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଦେଖାଦେଇଛି। ୨୦୨୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ହେବାକୁ ଥିବା ବେଳେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ସବୁ କଳ୍ପନାଜଳ୍ପନା ମଧ୍ୟରେ ନୂଆଦିଲ୍ଲୀରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିବାର ଗୋଟିଏ ଦିନ ପରେ କେପିସିସି ସଭାପତି ଡି.କେ ଶିବକୁମାର କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ତତ୍ପର ନୁହଁନ୍ତି। ସେ କହିଛନ୍ତି ଯେ, “ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ତତ୍ପର ନୁହେଁ। ମୋର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ କଂଗ୍ରେସ ଦଳକୁ କ୍ଷମତାକୁ ଫେରାଇ ଆଣିବା।’ ଗତ କିଛି ଦିନ ତଳେ କଂଗ୍ରେସ ବିଧାୟକ ଜାମିର ଅହମ୍ମଦ ଖାନ ଆଗାମୀ ବିଧାନସଭା ନିର୍ବାଚନରେ ସିଏମ ପଦ ପାଇଁ ସିଦ୍ଧରମେୟାଙ୍କ ନାମ ଉଠାଇଥିବା ବେଳେ ଶିବକୁମାର ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବର୍ତ୍ତମାନ କର୍ଣ୍ଣାଟକ ରାଜନୀତିର ୨ଟି ବଡ ରାଜନୈତିକ ଦଳ ବିଜେପି ଏବଂ କଂଗ୍ରେସରେ ନେତୃତ୍ୱ ବିବାଦ ଦେଖାଦେଇଛି। ଏ ଉପରେ ପ୍ରତିକ୍ରିୟା ରଖି ଶିବକୁମାର କହିଛନ୍ତି, “ବିଜେପି ଏବଂ କଂଗ୍ରେସ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି।  ବିଜେପିକୁ କ୍ଷମତାରୁ ହଟାଇ କଂଗ୍ରେସକୁ କ୍ଷମତାକୁ ଆଣିବା ହେଉଛି ଆମର ଲକ୍ଷ୍ୟ। ଏହା ଉପରେ ଆମେ ଧ୍ୟାନ ଦେବା ଉଚିତ୍। ଯଦି ଏହି ଲକ୍ଷ୍ୟରୁ ବିଚ୍ୟୁତ ହୋଇ ଆମର ଶକ୍ତି ଓ ସମୟ ଅନ୍ୟ ଦିଗରେ ଖର୍ଚ୍ଚ କରୁ ତାହା କ୍ଷତିକାରକ ହେବ। ବିଜେପିକୁ ପରାସ୍ତ କରିବା ଦିଗରେ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ସେ ଆହ୍ବାନ କରିଛନ୍ତି। ” କଂଗ୍ରେସ ବିଧାୟକ ଅଖଣ୍ଡା ଶ୍ରୀନିବାସା ମୁର୍ତ୍ତୀଙ୍କ ଦାବିର ଉତ୍ତରରେ ଶିବ କୁମାର କହିଛନ୍ତି ଯେ ଯଦି ସେମାନେ ସିଦ୍ଧରମେୟାଙ୍କ ନେତୃତ୍ୱରେ ନିର୍ବାଚନ ଲଢି ଯଦି ସେମାନେ ଜିତି ପାରିବେ ତେବେ ,“ବହୁତ ସୁନ୍ଦର”।  ସୂଚନାଯୋଗ୍ୟ ଯେ ଅଗଷ୍ଟ 2020ରେ କର୍ଣ୍ଣାଟକରେ ଦେଖାଦେଇଥିବା ଦଙ୍ଗାରେ ଏକ ଆପତ୍ତିଜନକ ଫେସବୁକ୍ ପୋଷ୍ଟକୁ ନେଇ ଦଙ୍ଗାକାରୀଙ୍କ ଘର ପୋଡିଯିବା ପରେ ମଧ୍ୟ ମୁର୍ତ୍ତୀ ଶିବକୁମାରଙ୍କୁ ଟାର୍ଗେଟ କରିଥିଲେ। ସେହିପରି ଆଉ ଜଣେ କଂଗ୍ରେସ ବିଧାୟକ ଏସ ରାମପ୍ପା ମଧ୍ୟ ସିଦ୍ଧରମେୟଙ୍କୁ ୨୦୨୩ ରେ ମୁଖ୍ୟମନ୍ତ୍ରୀ ଚେହେରା କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଶିବକୁମାରଙ୍କ ବୟସ ଅଛି ତେଣୁ ସିଦ୍ଧରମେୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଦରକାର। ଏହାର ଉତ୍ତରରେ କେପିସିସି ଅଧ୍ୟକ୍ଷ ପ୍ରଶ୍ନ କରିଛନ୍ତି ଯେ , “ ମୁଁ କେବେ କହିଛି କି ଯେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ତତ୍ପର ?  ଦଳକୁ କ୍ଷମତାକୁ ଫେରାଇ ଆଣିବା ହେଉଛି ମୋର ଲକ୍ଷ୍ୟ। ’’ ଏସବୁ ବାଦ ବିବାଦକୁ ନେଇ ବେଙ୍ଗଲୁରୁ ଗ୍ରାମୀଣ ସାଂସଦ ଡି.କେ ସୁରେଶ ଜାମିର ଅହମ୍ମଦ ଏବଂ ମୁର୍ତ୍ତୀଙ୍କ ବୟାନ ସମ୍ପର୍କରେ କହିଛନ୍ତି ଯେ “ପ୍ରକୃତ କଂଗ୍ରେସ କର୍ମୀ ଏବଂ କଂଗ୍ରେସ ନେତାମାନେ ଦଳକୁ ମଜବୁତ୍ କରିବା ଉପରେ ଧ୍ୟାନ ଦେବେ, ସେମାନେ ଦଳର ଅନୁଶାସନ ପାଳନ କରିବେ, ଯେଉଁମାନେ କ୍ଷମତା ଲୋଭରେ କଂଗ୍ରେସରେ ଯୋଗ ଦେଇଛନ୍ତି ସେମାନେ ଦାୟିତ୍ବହୀନ ମନ୍ତବ୍ୟ ଦିଅନ୍ତି ।  

Related Posts