ବିନା କଂଗ୍ରେସରେ ବିରୋଧୀ ମୋର୍ଚ୍ଚା ଖୋଲିବା ବିଜେପିକୁ ସହାୟକ ହେବ : ନାନା ପାଟୋଲ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ତୃତୀୟ ସାମ୍ମୁଖ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତା ମାନଙ୍କର ଏକ ବୈଠକ ହୋଇଥିଲା। ଏହି ବୈଠକରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ, ଶିବସେନା ସମେତ ସମାଜବାଦୀ ପାର୍ଟି ଏବଂ ବିଏସପି ଯୋଗଦେଇ ନଥିଲେ। ତେବେ ଏହି ବୈଠକ ବିଜେପିକୁ ଚେକ୍ ଦେବା ପାଇଁ ନୁହେଁ ବୋଲି ଏନସିପି ସୂତ୍ରରୁ କୁହାଯାଇଛି । ଏସବୁ କଳ୍ପନାଜଳ୍ପନା ମଧ୍ୟରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ବୁଧବାର କହିଛନ୍ତି ଯେ କଂଗ୍ରେସ ପାର୍ଟି ବିନା ବିରୋଧୀ ମୋର୍ଚ୍ଚା ଗଠନ କରିବା ପରୋକ୍ଷରେ ବିଜେପିକୁ ସାହାଯ୍ୟ କରିବ। ସେ କହିଛନ୍ତି ଯେ ନିର୍ବାଚନକୁ ଆହୁରି ତିନି ବର୍ଷ ବାକି ଅଛି ତେଣୁ କୋଭିଡ୍ ପରିଚାଳନା ହେଉଛି ତାଙ୍କ ଦଳର ପ୍ରାଥମିକତା । ‘ବିଜେପି ବିରୋଧୀ ସାମ୍ମୁଖ୍ୟ’ ଗଠନକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ପାଟୋଲ କହିଛନ୍ତି ଯେ କଂଗ୍ରେସ ବିନା ଏଭଳି ସାମ୍ମୁଖ୍ୟ ଗଠନ କରିବା ସମ୍ଭବ ନୁହେଁ। ଏଭଳି ପ୍ରୟାସ ପରୋକ୍ଷରେ ବିଜେପିକୁ ସାହାଯ୍ୟ କରିବ ବୋଲି ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ପାଟୋଲ କହିଛନ୍ତି। 2019 ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଶିବସେନା ଏବଂ ଏନସିପି ମହା ବିକାଶ ଅଘାଡୀ ଗଠବନ୍ଧନରେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା। ଗତ ସପ୍ତାହରେ, ପାଟୋଲ ଘୋଷଣା କରିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି। ଏହା ପରେ ଗଠବନ୍ଧନରେ ସବୁ କିଛି ଠିକ୍ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହା ପରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି ଯେ ଗଠବନ୍ଧନ ସରକାର ୫ ବର୍ଷ କାର୍ଯ୍ୟକାଳ ପୂରା କରିବ। ବୁଧବାର ଦିନ ପାଟୋଲ କହିଛନ୍ତି ଯେ “ବେକାରୀ ସଙ୍କଟ” ର ସମ୍ମୁଖୀନ ହେଉଥିବା କୃଷକ ଏବଂ ଯୁବକମାନଙ୍କ କଲ୍ୟାଣ ହେଉଛି କଂଗ୍ରେସର ପ୍ରାଥମିକତା । “ମୁଁ ନିର୍ବାଚନ ବିଷୟରେ କହିସାରିଛି ଏବଂ ଦଳର କର୍ମୀଙ୍କ ନିକଟରେ ବାର୍ତ୍ତା ପହଞ୍ଚିସାରିଛି। ନିର୍ବାଚନକୁ ତିନି ବର୍ଷ ବାକି ଅଛି ତେଣୁ ଏହା ବିଷୟରେ ଚର୍ଚ୍ଚା କରିବି ନାହିଁ। COVID-19 ମହାମାରୀକୁ ନିୟନ୍ତ୍ରଣ କରିବାରେ ଆମେ ନରେନ୍ଦ୍ର ମୋଦୀ ସରକାରଙ୍କ ବିଫଳତା ତଥା କୃଷକଙ୍କ ଅବହେଳାକୁ ନେଇ ଲୋକମାନଙ୍କ ପାଖକୁ ଯିବୁ ବୋଲି ସେ କହିଛନ୍ତି । “

Related Posts