କର୍ଣ୍ଣାଟକରେ ଠିକାଦାର ମୃତ୍ୟୁ ମାମଲା: ଇସ୍ତଫା ଦେଲେ କେଏସ ଇଶ୍ବରପ୍ପା

ବେଙ୍ଗାଲୁରୁ: ମନ୍ତ୍ରୀପଦରୁ ଇସ୍ତଫା ଦେଲେ କେଏସ ଇଶ୍ବରପ୍ପା ।କର୍ଣ୍ଣାଟକାରେ ଠିକାଦାର ମୃତ୍ୟୁମାମଲା କୁ ନେଇ ସେ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଜଣେ କଣ୍ଟ୍ରାକ୍ଟର ବା ଠିକାଦାରଙ୍କ ମୃତ୍ୟୁ ସେଠାରେ ରାଜନୀତି ଝଡ ସୃଷ୍ଟି କରିଛି। ଆତ୍ମହତ୍ୟା କରିଥିବା ଠିକାଦାର ଜଣକ ତାଙ୍କ ମୃତ୍ୟୁ ପାଇଁ କର୍ଣ୍ଣାଟକ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା ଦାୟୀ ବୋଲି ସୁଇସାଈଡ଼ ନୋଟରେ ଲେଖିଥିଲେ | ଆଉ ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ କରିବାକୁ ଦାବି କରିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ କର୍ଣ୍ଣାଟକର ଉଡୁ଼ପିର ଏକ ଲଜରୁ ସନ୍ତୋଷ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ମୃତଦେହ ମିଳିଥିଲା |

ପୁଲିସ ହୋଟେଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିବାବେଳେ ଏକ ସୁଇସାଈଡ଼ ନୋଟ ମଧ୍ୟ ଜବତ କରିଥିଲା | ଏଥିରେ ଲେଖା ହୋଇଥିଲା ଯେ, ‘ମୁଁ ଆତ୍ମହତ୍ୟା କରୁଛି ଏବଂ ତାଙ୍କ ମୃତ୍ୟୁ ପାଇଁ ଈଶ୍ୱରପ୍ପା ଦାୟୀ | ଏକ କାମ ପାଇଁ ମନ୍ତ୍ରୀ ତାଙ୍କୁ ୪୦ ପ୍ରତିଶତ କମିଶନ ଦେବାକୁ ବାଧ୍ୟ କରୁଥିଲେ ବୋଲି ସେ ଲେଖିଛନ୍ତି | କେବଳ ଏତିକି ନୁହେଁ ସେ ଲେଖିଛନ୍ତି ଯେ ମୁଁ ମୋର ପତ୍ନୀ ଏବଂ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଆମର ପ୍ରିୟ ଲିଙ୍ଗାୟତ ନେତାଙ୍କୁ ହାତ ଯୋଡି ଅନୁରୋଧ କରୁଛି’।

ଅନ୍ୟପଟେ , ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଏନେଇ ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି । ତେବେ ଇଶ୍ୱରପ୍ପା ଦୋଷୀ ସାବ୍ୟସ୍ତ ହେଲେ ହିଁ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତାଙ୍କ କହିବା ମୁତାବକ, ସନ୍ତୋଷଙ୍କ ଶବବ୍ୟବଚ୍ଛେଦ କରାଯାଇଛି। ପ୍ରାଥମିକ ଅନୁସନ୍ଧାନ ଆରମ୍ଭ ହେଉ। ଏହି ଅନୁସନ୍ଧାନର ଫଳାଫଳକୁ ଆଧାର କରି ଆମେ ଆଗକୁ କ’ଣ କରିବୁ ତାହା ସ୍ଥିର କରିବୁ।

ଏହି ପ୍ରସଙ୍ଗକୁ ନେଇ ଉପରୁ କୌଣସି ଚାପ ପକାଯାଉଛି କି ବୋଲି ପଚରାଯିବାରୁ ବୋମ୍ମାଇ କହିଛନ୍ତି, ମୁଁ କୌଣସି ପ୍ରକାରର ଚାପରେ ନାହିଁ। ହାଇ କମାଣ୍ଡର ଏହା ସହ କୌଣସି ସମ୍ପର୍କ ନାହିଁ। ଏହା କେବଳ ପ୍ରାଥମିକ ଅନୁସନ୍ଧାନ ଉପରେ ନିର୍ଭାର କରେ, ଯାହାକୁ ଆଧାର କରି ନିଷ୍ପତ୍ତି ନିଆଯିବ। ଇଶ୍ୱରପ୍ପା କ୍ୟାବିନେଟରେ ଥିବାବେଳେ ନିରପେକ୍ଷ ଅନୁସନ୍ଧାନ ସମ୍ଭବ ହେବ କି ନାହିଁ ବୋଲି ପଚରାଯିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣ କିମ୍ବା ମୁଁ ଯାହା ଭାବୁଛୁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଘଟଣାର ସତ୍ୟତା କ’ଣ, ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।

Related Posts