ଲିଙ୍ଗାୟତ ସାଧୁଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କଲା କର୍ଣ୍ଣାଟକ ପୁଲିସ

ବେଙ୍ଗାଲୁରୁ : ଚର୍ଚ୍ଚାରେ କର୍ଣ୍ଣାଟକର ପ୍ରମୁଖ ଲିଙ୍ଗାୟତ ମଠର ସାଧୁ । ତାଙ୍କ ବିରୋଧରେ ଅଗଷ୍ଟ ୩୦ ତାରିଖରେ ଦୁଷ୍କର୍ମ ଅଭିଯୋଗ ଆସିଥିବା ବେଳେ ଏବେ କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲାର ଏକ ପ୍ରମୁଖ ମୁରୁଘ ମଠର ସାଧୁ ଶିବମୂର୍ତ୍ତି ମୁରୁଘ ଶରଣାରୁଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ଏହି ମାମଲା ରୁଜୁ ହୋଇଥିଲା। ମଠ ଦ୍ବାରା ପରିଚାଳିତ ଏକ ଅନୁଷ୍ଠାନର ୨ଜଣ ନାବାଳିକା ଛାତ୍ରୀଙ୍କୁ ସେ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି।

୨ ଜଣ ନାବାଳିକା ଏନେଇ ଅଭିଯୋଗ କରିବାପରେ ମହୀଶୁର ସିଟି ପୁଲିସ ଲିଙ୍ଗାୟତ ସାଧୁ ଶିବମୂର୍ତ୍ତିଙ୍କ ବିରୋଧରେ ଏତଲା ରୁଜୁ କରିଛି। ମାମଲା ରୁଜୁ ପରେ ଆଜି ପୁଲିସ ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି। ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦର ଭଳି ସମସ୍ତ ଇମିଗ୍ରେସନ ଚେକପଏଣ୍ଟକୁ ଏହି ନୋଟିସ ଜାରି କରାଯାଇଛି।

ଅଗଷ୍ଟ ୨୯ରେ ହାବେରି ଜିଲ୍ଲାରେ ଶିବମୂର୍ତ୍ତି ମୁରୁଘ ଶରଣାରୁଙ୍କୁ ପୁଲିସ ଏହି ମାମଲାରେ ଅଟକ ରଖିଥିଲା। ଅବଶ୍ୟ ପରେ ସେ ‌ମଠକୁ ଫେରିଥିଲେ। କିନ୍ତୁ ପରେ ସାଧୁଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଚିତ୍ରଦୁର୍ଗ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ବିରୋଧରେ ଆନ୍ଦୋଳନ ହୋଇଥିଲା।
ଆନ୍ଦୋଳନକାରୀ ଦାବି କରିଥିଲେ ଯେ, ଗତକାଲି ସନ୍ଧ୍ୟାରୁ ମେଡିକାଲ ଟେଷ୍ଟ୍‌ ସରିଥିଲେ ବି ପୁଲିସ ସାଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି।

ତେବେ ଯୌନ ଉତ୍ପୀଡନର ଶିକାର ହୋଇଥିବା ୨ ନାବାଳିକା ଛାତ୍ରୀ ମହୀଶୂରରେ ପରିଚାଳିତ ଏକ ଏନ୍‌ଜିଓ ଓ ଦନାଦୀ ସେବା ସଂସ୍ଥାନ’ରେ ପହଞ୍ଚି ନିଜ ଦୁଃଖ ବଖାଣିଥିଲେ। ଏହାପରେ ଏହି ମାମଲା ଜିଲ୍ଲା ଶିଶୁ କମିଟି ନଜରକୁ ଆସିଲା।

Related Posts