କରୋନାଠୁ ବହୁ ଦୂରରେ କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକର କଅଁଳେଇ ବାଲିପାଳ ପଞ୍ଚାୟତ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର : ସମଗ୍ର ବିଶ୍ୱ ଯେତେବେଳେ ମହାମାରୀ କରୋନାର ଦ୍ୱିତୀୟ ତରଙ୍ଗରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଉଛି ଠିକ୍ ଏତିକି ବେଳେ କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକର ଆଦିବାସୀ ଅଧ୍ୟୁସିତ ଅଞ୍ଚଳ କଅଁଳେଇ ବାଲିପାଳ ପଞ୍ଚାୟତକୁ ଏଯାବତ କରୋନା ସ୍ପର୍ଶ କରିନଥିବା ଜଣାଯାଇଛି । ୭ ଟି ଗାଁ କୁ ନେଇ ଏହି ପଞ୍ଚାୟତରେ ୫୦୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ବସବାସ କରୁଛନ୍ତି । ଏ ଗାଁ ର ମୁଖ୍ୟ ବେଉସା ଚାଷ ହୋଇଥିବା ବେଳେ ସର୍ବାଧିକ ଜନତା ଜଙ୍ଗଲଜାତ ଜିନିଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି । ସବୁଜ ପରିବେଷ୍ଟିତ ବଣପାହାଡ ଘେରା ଉକ୍ତ ପଞ୍ଚାୟତରେ ଆଜିଯାଏ ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି । ଅନେକଙ୍କ ପାଖରେ କରୋନା ମହାମାରୀ ସମ୍ପର୍କରେ କିଛି ସୂଚନା ବି ନାହିଁ । କିନ୍ତୁ ବିଗତ ଦୁଇ ମାସ ହେବ ଏଠାକାର ଜନସାଧାରଣ ସଚେତନତା ଓ ସତର୍କତା ଅବଲମ୍ବନ ପୂର୍ବକ ମାସ୍କ ପରିଧାନ ସହ ବାହାର ଲୋକମାନଙ୍କୁ ଗାଁ ପ୍ରବେଶ ବାରଣ କରିଛନ୍ତି । ଏହି ପଞ୍ଚାୟତର ସ୍ଥାନୀୟ ସରପଞ୍ଚ , ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘରଘର ବୁଲି ସଚେତନା କରୁଥିବା ସହ ମାସ୍କ ପରିଧାନ , ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦେଉଛନ୍ତି । ଏହାକୁ ଜନସାଧାରଣ କଠୋର ଭାବେ ମାନି ଚଳୁଥିବାରୁ କରୋନା ସଂକ୍ରମଣ ଛୁଇଁ ନଥିବା କୁହାଯାଉଛି । ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ ୧୪ ଦିନ ଏକାନ୍ତବାସକୁ ବାଧ୍ୟତାମୂଳକ କରାଯାଇଛି ।

କେନ୍ଦୁଝର ଜିଲ୍ଲାରେ ଏବେ ୧୪,୫୦୦ ରୁ ଉର୍ଦ୍ଧ୍ୱ ସଂକ୍ରମିତ ମାମଲା ସକ୍ରିୟ ଥିବାବେଳେ ହାଟଡିହୀ ବ୍ଲକରେ ୪୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହାଟଡିହୀ ବ୍ଲକ ର ୩୧ ଟି ପଞ୍ଚାୟତ ଭିତରୁ କେବଳ କଅଁଳେଇ ବାଲିପାଳ କୁ ଛାଡି ବାକି ୩୦ ଟି ପଞ୍ଚାୟତରେ କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବା ସହ ଅନେକ ନିଜର ପ୍ରିୟଜନଙ୍କୁ ମଧ୍ୟ ଅକାଳରେ ହରାଇ ସାରିଲେଣି । ଏଭଳି ସ୍ଥିତିରେ ଆଦିବାସୀ ବହୁଳ କଅଁଳେଇ ବାଲିପାଳ ପଞ୍ଚାୟତ କୁ କରୋନା ପାଖ ନପସି ପାରିବା ପଡୋଶୀ ପଞ୍ଚାୟତମାନଙ୍କ ପାଇଁ ଉଦାରହଣ ସୃଷ୍ଟି କରିଛି । କଅଁଳେଇ ବାଲିପାଳ ସରପଞ୍ଚ ରମ୍ଭା ପାତ୍ରଙ୍କ କହିବାନୁସାରେ ପଞ୍ଚାୟତବାସୀ ବିଶେଷ କରି ବାହାରକୁ ଯାଉନଥିବା କାରଣ ଗାଁ ଠାରୁ ବଜାର ୮ ରୁ ୧୦ କି,ମି ଓ ସମସ୍ତ ୱାର୍ଡସଭ୍ୟ ମାନଙ୍କୁ ତଦାରଖ ଦାୟିତ୍ୱ ଦିଆ ଯାଇଥିବାରୁ ଏବଂ ଜନସାଧାରଣଙ୍କୁ ମାସ୍କ, ସାମାଜିକ ଦୂରତା ଆଦି ବିଷୟରେ ସଚେତନତା କରିଥିବାରୁ ଆମେ ଆଜି ଭଲ ସ୍ଥିତିରେ ଅଛୁ ବୋଲି ପ୍ରକାଶ କରିଛନ୍ତି ।

Related Posts