ଲୁକାଛୁପି ଖେଳ ସରିଲା, ଧରାପଡିଲେ ରେସଲର ସୁଶୀଲ କୁମାର

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ବହୁ ଲୁଚକାଳି ପରେ ଭାରତର ଦୁଇଥର ଅଲିମ୍ପିକ୍ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ତେବେ ସୁଶୀଲ ରେସଲର ସାଗର ଧନଖର ର ହତ୍ୟା ମାମଲାରେ ସଂପୃକ୍ତ ଥିବାରୁ ସେ ନିଖୋଜ ଥିଲେ । ପଞ୍ଜାବରେ ରେସଲର ସୁଶୀଲ କୁମାର ଏବଂ ତାଙ୍କର ସାଥୀ ଅଜୟ ଲୁଚି ରହିଥିବା ର ଖବର ପାଇବା ପରେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ଦିଲ୍ଲୀର ଏକ ଷ୍ଟାଡିୟମରେ 23 ବର୍ଷୀୟ କୁସ୍ତିଯୋଦ୍ଧା ସାଗର ଧନଖରଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସୁଶୀଲ କୁମାରଙ୍କୁ ପୁଲିସ ଖୋଜାଖୋଜି କରିଥିଲା। ସବୁଠାରୁ ରୋଚକ କଥାଟି ହେଉଛି ସୁଶୀଲଙ୍କ ବାବଦରେ ସୂଚନା ଦେଲେ ଦିଲ୍ଲୀ ପୁଲିସ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଏନେଇ ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ଶିବକୁମାର, ଇନ୍ସପେକ୍ଟର କରାମବୀରଙ୍କ ନେତୃତ୍ୱରେ ତଥା ଏସିପି ଅଟ୍ଟର ସିଂଙ୍କ ତତ୍ତ୍ଵବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ସୁଶୀଲ କୁମାର ଏବଂ ଅଜୟଙ୍କ ଉପସ୍ଥିତିର ଖବର ପାଇ ଉଭୟଙ୍କୁ ସେଠାରୁ ଗିରଫ କରାଯାଇଛି । ତେବେ ସୁଶୀଲଙ୍କ ପରି ତାଙ୍କ ସହଯୋଗି ଅଜୟ କୁମାରଙ୍କ ଗିରଫ ପାଇଁ ମଧ୍ୟ 50,000 ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀମାନେ ମେ ’4 ତାରିଖରେ ଛତ୍ରସାଲ ଷ୍ଟାଡିୟମରେ 23 ବର୍ଷୀୟ ସାଥୀ ରେସଲର ସାଗର ରାଣା ଏବଂ ତାଙ୍କର ଦୁଇ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ । ଏହାପରେ ତିନିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଶ୍ରୀ ରାଣାଙ୍କର ଅବସ୍ଥା ଗୁରୁତର ହୋଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଦିଲ୍ଲୀର ରୋହଣୀ କୋର୍ଟରେ ସୁଶୀଲ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ କୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ତେବେ ସୁଶୀଲ ବାରମ୍ବାର ତାଙ୍କ ମୋବାଇଲ ନମ୍ୱର ସହିତ ଠିକଣା ପରିବର୍ତ୍ତନ କରୁଥିଲେ। ଆଉ ନୂଆ ସିମରେ ଇଣ୍ଟରନେଟ ଜରିଆରେ ସମସ୍ତଙ୍କୁ କଲ୍ କରୁଥିଲେ। ତେଣୁ ସୁଶୀଲଙ୍କୁ ଧରିବା ପାଇଁ ଅଧିକ ସମୟ ଲାଗିଲା ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Related Posts