ତାନ୍ତ୍ରିକଙ୍କ ପରାମର୍ଶ କ୍ରମେ କେସିଆର ନିଜ ଦଳର ନାମ ଟିଆରଏସରୁ ବିଆରଏସକୁ ପରିବର୍ତ୍ତନ କରିଛନ୍ତି: ନିର୍ମଳା ସୀତାରମଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଦଳର ନାମ ପରିବର୍ତ୍ତନ କରିବା ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, କେସିଆର ଜାଣିଶୁଣି ତାଙ୍କ ଦଳର ନାମ ତେଲେଙ୍ଗାନା ରାଷ୍ଟ୍ର ସମିତି ( ଟିଆରଏସ ) ରୁ ବଦଳାଇ ଭାରତ ରାଷ୍ଟ୍ର ସମିତି ( ବିଆରଏସ ) ରଖିନାହାନ୍ତି, ବରଂ ସେ ତାନ୍ତ୍ରିକ ଏବଂ ନ୍ୟୁମେରୋଲଜିଷ୍ଟଙ୍କ ପରାମର୍ଶ କ୍ରମେ ଏଭଳି ନାମ ପରିବର୍ତ୍ତନ କରିଛନ୍ତି। ଏନେଇ ନିର୍ମଳା କହିଛନ୍ତି ଯେ, ପୂର୍ବରୁ କେସିଆର ତାନ୍ତ୍ରିକଙ୍କ ପରାମର୍ଶ କ୍ରମେ ରାଜ୍ୟ ସଚିବାଳୟ ଯିବା ବନ୍ଦ କରିଦେଇଥିଲେ ଏବଂ ଅନେକ ବର୍ଷ ଧରି ତାଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ମଧ୍ୟ ସାମିଲ କରିନଥିଲେ। ତେଲେଙ୍ଗାନାବାସୀଙ୍କୁ ବିଶ୍ୱାସଘାତକତା କରିବା ପରେ କେସିଆର ଏବେ ଟିଆରଏସକୁ ବିଆରଏସ କରି ଏକ ଜାତୀୟ ଦଳ ଭାବେ ରୂପ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । କେସିଆର ବିଭିନ୍ନ ପ୍ରସଙ୍ଗରେ ବିଫଳ ହୋଇଛନ୍ତି ଯେଉଁଥିପାଇଁ ତନ୍ତ୍ରିକଙ୍କ ପରାମର୍ଶ ନିଆଯାଇ ଟିଆରଏସର ନାମ ପରିବର୍ତ୍ତନ କରି ନୂଆ ଦଳ ଗଠନ କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ନିର୍ମଳା କେସିଆରଙ୍କୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, କେସିଆର ଥରେ କହିଥିଲେ ଯେ ତେଲେଙ୍ଗାନା ରାଜ୍ୟର ପାଣ୍ଠି, ପାଣି ଓ ନିଯୁକ୍ତି ତାଙ୍କର ପ୍ରାଥମିକତା । ରାଜ୍ୟରେ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ପ୍ରତିଷ୍ଠା କରିବାକୁ ସେ କହିଥିଲେ। କିନ୍ତୁ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ୪ ବର୍ଷ ଧରି ଟିଆରଏସ ସରକାରରେ ଜଣେ ବି ମହିଳା ମନ୍ତ୍ରୀ ନଥିଲେ । ଆଉ ଏପରି କରିବା ପଛରେ କିଛି ତାନ୍ତ୍ରିକଙ୍କ ପରାମର୍ଶ ରହିଥିଲା ବୋଲି ସୀତାରମଣ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ବୁଧବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ନିଜ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ( ଟିଆରଏସ )ର ନାମ ବଦଳାଇ ନୂଆ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଶୁଭାରମ୍ଭ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ଜାତୀୟ ଦଳ ହେବା ଦିଗରେ ଏହା ତାଙ୍କର ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମ ସମୟରେ ଜେଡିଏସ୍ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ତାଙ୍କ ୨୦ ଜଣ ବିଧାୟକଙ୍କ ସହ ଟିଆରଏସ ମୁଖ୍ୟାଳୟରେ ଉପସ୍ଥିତ ଥିଲେ।

Related Posts