‘ଅବ୍ କି ବାର, କିଶାନ ସରକାର’: ମହାରାଷ୍ଟ୍ରରେ ବିଆରଏସ ପାର୍ଟିର ଶୁଭାରମ୍ଭ କଲେ ପାର୍ଟି ସୁପ୍ରିମୋ କେ.ଚନ୍ଦ୍ରଶେଖର ରାଓ

ଭୁବନେଶ୍ବର, ୨୬/୦୩: ଆଜି ମହାରାଷ୍ଟ୍ର ରେ ଭାରତ ରାଷ୍ଟ୍ର ସମିତି (ବିଆରଏସ ) ପାର୍ଟି ଶୁଭାରମ୍ଭ କରିଛି। ପାର୍ଟି ସୁପ୍ରିମୋ ତଥା ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ମହାରାଷ୍ଟ୍ର ନନ୍ଦେଡ ଜିଲ୍ଲା ବୈଲ ବଜାରରେ ଏକ ବିଶାଳ ଜନସମାବେଶକୁ ସମ୍ଭୋଧନ କରିବା ସହ ବିଧିବଦ୍ଧ ଭାବରେ ପାର୍ଟି ର ରାଜ୍ୟ ଶାଖା ର ଶୁଭ ଉଦଘାଟନ କରିଥିଲେ କେସିଆର ।


କୃଷକଙ୍କୁ ମିଳିବ ଏକର ପିଛା ୧୦ ହଜାର ଟଙ୍କା । ମାଗଣା ଉନ୍ନତ ମାନର ବିଜୁଳି ଦିଆଯିବ । ସମସ୍ତ ଚାଷ ଜମିକୁ ମିଳିବ ଭରପୁର ଜଳ । ଚାଷୀଙ୍କୁ ୫ ଲକ୍ଷ ଟଙ୍କାର ବୀମା ରାଶି । କୃଷକର ସମସ୍ତ ଉତ୍ପାଦନକୁ କିଣିବେ ସରକାର । ଫଳରେ ଖସିରେ ଜୀବନ ବିତେଇବ ଚାଷୀ ଭାଇ । ସ୍ୱାଧୀନତାକୁ ବିତିଲାଣି ୭୫ ବର୍ଷ । କେତେ, କାହା ପାଖରେ ଆଉ ହାତ ପତେଇବ ସେ । କୃଷକଙ୍କ ହକ୍ ପାଇଁ ଲଢେଇ ଜାରି ରହିବ । ଖାଲି ସେତିକି ନୁହେଁ ଦଳିତ, ଆଦିବାସୀ ବର୍ଗଙ୍କ ସୁବିଧା ପାଇଁ ‘ଦଳିତ ବନ୍ଧୁ’ ସ୍କିମ ଲାଗୁ କରାଯାଇଛି । ଯେଉଁଥିରେ ପ୍ରତ୍ୟେକ ଦଳିତ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି । ଯାହା ସେମାନଙ୍କୁ ଫେରାଇବାକୁ ପଡ଼ିବନାହିଁ ।

ଏଭଳି କହି ମହାରାଷ୍ଟ୍ର ନନ୍ଦେଡ ଜିଲ୍ଲା ବୈଲ ବଜାରରେ ହୋଇଥିବା ଜନସମାବଶକୁ ସମ୍ଭୋଧନ କରିଥିଲେ କେସିଆର । ଏସବୁ ଯଦି ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସ ସରକାର ଲାଗୁ କରିଦିଅନ୍ତି ତାହେଲେ ଏଠାକୁ ଆସିବିନାହିଁ । ଯେପର୍ଯ୍ୟନ୍ତ ଏହା ଲାଗୁ କରିନାହାନ୍ତି ସେପର୍ଯ୍ୟନ୍ତ ଆସୁଥିବି। ଏବଂ ମହାରାଷ୍ଟ୍ର ଚାଷୀଙ୍କ ପାଇଁ ଲଢେଇ କରୁଥିବି କହିଛନ୍ତି କେସିଆର । 

ସେପଟେ ଉଭୟ କଂଗ୍ରେସ ଓ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଆରଏସ ସୁପ୍ରିମୋ । ଦୀର୍ଘ ୭୦ ବର୍ଷ ଧରି ଏହି ଦୁଇ ଦଳ ଭାରତରେ ସରକାର କରିଛନ୍ତି । ହେଲେ କିଛି ବଦଳିନି। ଚାଷୀର ଉନ୍ନତି ହୋଇଛି କି? ଜନତାଙ୍କୁ ମିଳିଲା କ’ଣ? କୃଷକର ସ୍ଥିତି କାହିଁକି ବଦଳିନି? ଏବେ ଏସବୁ ଭାବିବାର ସମୟ ଆସିଛି । ବିଜେପି-କଂଗ୍ରେସ ମଧ୍ୟରେ କିଛି ଫରକ୍ ନାହିଁ । ନିଜର ପତିଆରା ଜାହିର କରିବା ପାଇଁ ଲାଗିଛନ୍ତି ଉଭୟ ଦଳ । ଚାବି ଆପଣଙ୍କ ପାଖରେ ଅଛି । ଚାଷୀ ଚାହିଁଲେ ସବୁ କିଛି ପରିବର୍ତ୍ତନ ହୋଇପାରିବ ବୋଲି କଡ଼ା ସନ୍ଦେସ୍ ଦେଇଛନ୍ତି କେସିଆର ।

ମହାରାଷ୍ଟ୍ର ଏକ ଲଢ଼େଇର କରିବାର ରାଜ୍ୟ ବୋଲି ଅଭିହିତ କରି କେସିଆର କହିଥିଲେଯେ ମହାରାଷ୍ଟ୍ର ରେ ବହୁ ମନିଷୀ ତଥା କ୍ରାନ୍ତିକାରୀ ଜନ୍ମ ଗ୍ରହଣ କରିଛନ୍ତି । ଛତ୍ରପତି ଶିବାଜୀ, ବି.ଆର.ଆମ୍ବେଦକର, ଜୋତିବା ଫୁଲେ ପ୍ରମୁଖ ମହାରାଷ୍ଟ୍ର ତଥା ଦେଶର ବିକାଶ ପାଇଁ ଲଢେଇ କରିଛନ୍ତି । ସେହି ମନିଷି ମାନଙ୍କର ପଦାଙ୍କ ଅନୁସରଣ କରି ଆମ୍ଭକୁ ଲଢ଼ିବାକୁ ପଡିବ ।

ବିଆରଏସ ରାଷ୍ଟ୍ରୀୟ ଦଳ ହେବା ପରେ ଧିରେ ଧିରେ ତାର କାୟାବିସ୍ତାର କରିବାରେ ଲାଗିଛି । ଚାଷୀଙ୍କ ପାଖକୁ ଯିବାକୁ ଚେଷ୍ଠା କରିଛନ୍ତି କେସିଆର । ପ୍ରଥମ ପର୍ଯ୍ୟାୟରେ ତେଲେଙ୍ଗାନା ସହ ଆଉ ୫ଟି ରାଜ୍ୟ ଉପରେ ନଜର ରଖିଛି ଦଳ । ଆଗାମୀ ଏପ୍ରିଲ ମାସରେ ଓଡ଼ିଶାରେ ମଧ୍ୟ ଏକ ବିଶାଳ ସମାଗମ କରିବାର କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର ହୋଇଛି । ବି.ଆର.ଏସ.ର ଓଡିଶା ସମ୍ମିଳନୀରେ ବହୁ ପୂର୍ବତନ ବିଧାୟକ, ବିଭିନ୍ନ ଦଳର ଯୁବନେତା, ବିଶିଷ୍ଟ ସାମାଜିକ କର୍ମୀ, ପୂର୍ବତନ ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, ଦଳିତ ଓ ଆଦିବାସୀ ନେତାମାନେ ଯୋଗ ଦେବେ ବୋଲି ଆପାତତଃ ସ୍ଥିର ହୋଇଛି । ବି.ଆର.ଏସ. ଓଡିଶା ରାଜନୀତିରେ ଏକ ବଡ଼ ଧରଣର ପ୍ରଭାବ ପଜେଇବ ବୋଲି ରାଜନୈତିକ ମହଲରେ ଜୋର ଚର୍ଚ୍ଚା ଧରିଛି ।

Related Posts