କେଦାରନାଥରେ ଭିଆଇପି ଦର୍ଶନ ଉପରେ ଲାଗିଲା ରୋକ: ଭିଆଇପି ମଧ୍ୟ ସାଧାରଣ ଲୋକଙ୍କ ଗହଣରେ ଯାଇ କରିବେ ଦର୍ଶନ

ଡେରାଡୁନ ୧୩।୫: ଚାରଧାମ ଯାତ୍ରାରେ କେଦାରନାଥ ପୋଲିସ ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତି ନିଆଯାଇଛି । ଭକ୍ତ ଙ୍କ ପାଇଁ ଦୀର୍ଘ ଦୁଇ ବର୍ଷ ପରେ ଚାରଧାମ ଯାତ୍ରା ପାଇଁ ନିୟମ କୋହଳ ହୋଇଥିବା ବେଳେ ତୀର୍ଥକ୍ଷେତ୍ରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ଏହାରି ମଧ୍ୟରେ ବଢ଼ୁଥିବା ଭିଡ଼କୁ ନଜରରେ ରଖି କେଦାରନାଥ ପ୍ରଶାସନ ପକ୍ଷରୁ ଶୁକ୍ରବାର ଭିଆଇପି ଦର୍ଶନ ଉପରେ ରୋକ ଲଗାଯାଇଛି । ଏବେ ସବୁ ଭିଆଇପି ମଧ୍ୟ ସାଧାରଣ ଲୋକଙ୍କ ଗହଣରେ ଯାଇ ଦର୍ଶନ କରିବେ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି। ଏଥିଲାଗି ମାତ୍ର ୨ ଘଣ୍ଟା ସମୟ ମିଳିବ ବୋଲି ଡିଜିପି କହିଥିବା ବେଳେ ପୂର୍ବରୁ ଉପଯୁକ୍ତ ବ୍ୟବସ୍ଥା ହୋଇ ନ ପାରିବାରୁ ୨୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।

ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଯେଉଁ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ସେମାନେ ଯାତ୍ରା କିଛି ଦିନ ଟାଳି ଦିଅନ୍ତୁ ବୋଲି ନିବେଦନ କରିଛନ୍ତି। କରୋନା ଯୋଗୁ ବନ୍ଦ ଚାରଧାମ ଯାତ୍ରା ପ୍ରାୟ ୨ ବର୍ଷ ପରେ ପୁଣି ଆରମ୍ଭ ହୋଇଛି। ଦର୍ଶନ ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚୁଥିବା ବେଳେ ଗତ ୬ ଦିନରେ ୧ ଲକ୍ଷ ୩୦ ହଜାର ଭକ୍ତ କେଦାରନାଥ ଦର୍ଶନ କରିଥିବା ଜଣାପଡିଛି। ଏଣୁ ଭକ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ଭିଆଇପି ଦର୍ଶନ ଉପରେ କଟକଣା ଜାରି କରିଛି।

ତେବେ ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇ ନଥିବାରୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ରୁଦ୍ର ପ୍ରୟାଗରେ ଅସୁସ୍ଥ ୧୧ ଜଣଙ୍କୁ ଏୟାର ଲିଫ୍ଟ କରି ଅନ୍ୟ ସ୍ଥାନକୁ ପଠା ଯାଇଛି। କେବଳ କେଦାରନାଥ ନୁହେଁ ବଦ୍ରିନାଥ ଓ ୟମୁନେତ୍ରୀରେ ମଧ୍ୟ ପ୍ରଶାସନିକ ଅବହେଳା ଦେଖିବାକୁ ମିଳିଛି। ସେପଟେ ବଢୁଥିବା ଯାତ୍ରୀ ଭିଡକୁ ଦେଖି ମନ୍ଦିର ମାନଙ୍କରେ ଆଇଟିବିପି ଓ ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି।

ଏହା ଛଡା ବିଭିନ୍ନ ମାର୍ଗରେ ପୋଲିସ ଜବାନମାନେ ଯାତ୍ରୀଙ୍କୁ ସହାୟତା ମଧ୍ୟ କରୁଛନ୍ତି। ଏହା ପୂର୍ବରୁ ଅବହେଳା ମାମଲା ସାମ୍ନାକୁ ଆସିଥିଲା। ଏଣୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିରରେ ଦର୍ଶାନାର୍ଥୀମାନେ ଧାଡ଼ି ବାନ୍ଧି ଦର୍ଶନ କରିବେ।

Related Posts