କେଜରିୱାଲ ଜଣେ ପାପୀ ଓ ଦୁଷ୍ଟ ଲୋକ: ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ବିଜେପିର ସମାଲୋଚନା ର ଶିକାର ହୋଇଛନ୍ତି । ୧୪ ଅଗଷ୍ଟରେ ଜାତୀୟ ସଂଗୀତ ଗାଇବାକୁ ଅନୁରୋଧ କରି ବିଜେପି ତାଙ୍କୁ ସମାଲୋଚନା କରିଛି । କେଜରିୱାଲ୍‌ଙ୍କୁ ଖଳପ୍ରକୃତିର ଲୋକ ଓ ଦୁଷ୍ଟ ଲୋକ ବୋଲି କହିଛି ବିଜେପି।

ଅଗଷ୍ଟ ୧୫ ତାରିଖ ଦିନ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ଏହି ଅବସରରେ ଅଗଷ୍ଟ ୧୪ ଅପରାହ୍ନ ୫ ହାତରେ ତିରଙ୍ଗା ଧରି ଜାତୀୟ ସଂଗୀତ ଗାଇବାକୁ ଅନୁରୋଧ କରିଛନ୍ତି ଅରବିନ୍ଦ କେଜରିୱାଲ୍। ଏହାକୁ ନେଇ କେଜରିୱାଲ୍‌ଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ଅମିତ ମାଲବ୍ୟ। କେଜରିୱାଲ୍ ଜିନ୍ନାଙ୍କା ସ୍ୱାଧୀନତା ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଏସମ୍ପର୍କରେ ଅନ୍‌ଲାଇନ୍‌ରେ ଘୋଷଣା କରି କେଜରିୱାଲ୍ କହିଛନ୍ତି “ ଏହି ଉତ୍ସବରେ ହର ଘର ତିରଙ୍ଗା, ହର ହାଥ ତିରଙ୍ଗା ଭଳି କାର୍ଯ୍ୟାକ୍ରମ ପାଳନ କରାଯିବ। ଆଜି ଦେଶର ଜନତାଙ୍କୁ ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ସେମାନେ ୧୪ ଅଗଷ୍ଟ ଅପରାହ୍ନ ୫ଟା ସମୟରେ ହାତରେ ତିରଙ୍ଗା ଧରି ଏକାସାଙ୍ଗରେ ଜାତୀୟ ସଂଗୀତ ଗାଆନ୍ତୁ। ପୁଣି ସେହି ତିରଙ୍ଗାକୁ ନିଜ ଘରେ ଲଗାନ୍ତୁ।”

କେଜରିୱାଲଙ୍କର ସମ୍ବୋଧନର ସେହି ଭିଡିଓକୁ ଟ୍ୱିଟ୍ କରି ତାଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ଅମିତ ମାଲବ୍ୟ। କେଜରିୱାଲ ଦେଶର ସମ୍ବିଧାନ ସହ ଖେଳୁଛନ୍ତି ବୋଲି ସେ କହିଛନ୍ତି।

ମାଲବ୍ୟ କହିଛନ୍ତି “ ୧୪ ଅଗଷ୍ଟ ? ଅରବିନ୍ଦ କେଜରିୱାଲ ଜଣେ ପାପୀ ଓ ଦୁଷ୍ଟ ଲୋକ। ସେ ସମ୍ବିଧାନ ସହ ଖେଳୁଛନ୍ତି। ଅଗଷ୍ଟ ୧୫ ତାରିଖରେ ଭାରତକୁ ସ୍ୱାଧିନତା ମିଳିଥିଲା ବୋଲି ସେ ଭଲଭାବରେ ଜାଣନ୍ତି। କିନ୍ତୁ ଆମେ ବୁଝିପାରୁଛି ଯେ ଯେଉଁମାନେ ଶହୀନବାଗର ଜିନ୍ନାଙ୍କ ସ୍ୱାଧୀନତାକୁ ସମର୍ଥନ ଦେଇଥିଲେ ସେମାନେ କାହିଁକି ୧୪ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରିବାକୁ ଚାହୁଁଛନ୍ତି। ”

ସୂଚନା ଥାଉକି ଆଗକୁ ସ୍ୱାଧୀନତା ଦିବସ ଥିବାରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପେଟ୍ରୋଲିଂ ବଢ଼ାଇବା ସହ ସ୍ଥାନେ ସ୍ଥାନେ ଚେକିଂ ଜାରି ରହିଛି। ଲାଲ୍ କିଲାରେ ସ୍ୱାଧୀନତା ଦିବସ ପାଳନ ପାଇଁ ପୁଲିସ ଦିଲ୍ଲୀରେ ଏକ ହଜାର ସିସିଟିଭି କ୍ୟାମେରା ଲଗାଇବ। ଉତ୍ତର ଓ ସେଣ୍ଟ୍ରାଲ ଦିଲ୍ଲୀ ସହ ନୂଆଦିଲ୍ଲୀ ଜିଲ୍ଲାରେ ମଧ୍ୟ ସିସିଟିଭି ଲଗାଯିବ ବୋଲି ଜଣେ ବରିଷ୍ଠ ପୁଲିସ କର୍ମଚାରୀ ସୂଚନା ଦେଇନ୍ତି ।

Related Posts