କେନ୍ଦ୍ରର ନୂତନ ଟିକା ନୀତିକୁ ନେଇ କେଜରିୱାଲଙ୍କ ପ୍ରଶ୍ନ – ” କେଉଁଠୁ ଆସିବ ଏତେ ଟିକା ? “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନୂତନ ଟିକା ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଚାପରେ କେନ୍ଦ୍ର ସରକାର ଟିକା ନୀତିରେ ପରିବର୍ତ୍ତନ କରିଥାଇ ପାରନ୍ତି, କିନ୍ତୁ ସତ୍ୟ ହେଉଛି ଯେ ଏବେ ବି ଦେଶରେ ଟିକାର ଘୋର ଅଭାବ ରହିଛି।ଯାହାକି ଟିକାକରଣ ଅଭିଯାନକୁ ରୋକିପାରେ। କେଜ୍ରିୱାଲ କହିଛନ୍ତି ଯେ ଯଦି ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ହୁଏ, ତେବେ ନିର୍ବାଚନ ପରିଚାଳନା କରୁଥିବା ପ୍ରଶାସନିକ ତନ୍ତ୍ରକୁ ଲଗାଇ ଖୁବ୍ କମ୍ ସମୟ ମଧ୍ୟରେ ସମଗ୍ର ଦେଶରେ ଟିକା ଦିଆଯାଇ ପାରିବ। ଜୁନ୍ ୨୧ ରୁ ୧୮+ ସମସ୍ତ ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। କେନ୍ଦ୍ରର ଏହି ନିଷ୍ପତ୍ତିକୁ ସେ ସ୍ବାଗତ କରିବା ସହ ଟିକାର ଉପଲବ୍ଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କେଜରିୱାଲ ପଚାରିଛନ୍ତି ଯେ, ” ଜୁନ୍ ୨୧ ପରେ ମଧ୍ୟ ଏତେ ପରିମାଣର ଟିକା କେଉଁଠୁ ଆସିବ ? ଦେଶରେ ଏବେ ଟୀକାର ଘୋର ଅଭାବ ଦେଖାଦେଇଛି। ଆବଶ୍ୟକ ପରିମାଣର ଟିକା ଏବେ ମହଜୁଦ୍ ନାହିଁ ଏହା ହେଉଛି ସବୁଠାରୁ ବଡ ପ୍ରଶ୍ନ ଚିହ୍ନ ବୋଲି କେଜ୍ରିୱାଲ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ ଟିକା ଦେବା ପାଇଁ କେନ୍ଦ୍ର ସରକାର ନିର୍ବାଚନ ସମୟରେ ବୁଥ୍ ସିଷ୍ଟମ୍ ଆପଣେଇବା ଆବଶ୍ୟକ। ଯଦି ଟିକା ଉପଲବ୍ଧ ହୁଏ, ତେବେ ଦିଲ୍ଲୀରେ ଯେଉଁଠି ଭୋଟ୍ ସେଇଠି ଟିକା ଯୋଜନା କାର୍ଯ୍ୟକାରୀ ହୋଇପାରିବ ବୋଲି ସେ କହିଛନ୍ତି। ଯଦି ଏହି ମଡେଲ ସବୁ ଜାଗାରେ ପ୍ରୟୋଗ କରାଯାଏ, ତେବେ ସମଗ୍ର ଦେଶରେ ଦୁଇରୁ ତିନି ମାସ ମଧ୍ୟରେ ଟୀକାକରଣ କରାଯାଇପାରିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ଅପରପକ୍ଷରେ ଟିକାର ଷ୍ଟକ୍ କୁ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଟୀକାକରଣ ଷ୍ଟକ ଏବଂ ସର୍ବସାଧାରଣ ଫୋରମରେ ଟିକା ସଂରକ୍ଷଣର ତାପମାତ୍ରା ଉପରେ ଇଲେକ୍ଟ୍ରୋନିକ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ ସିଷ୍ଟମର ତଥ୍ୟକୁ ନବାଣ୍ଟିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି । କେନ୍ଦ୍ର ସରକାରଙ୍କ ଏପରି ଆଭିମୁଖ୍ୟକୁ କଡା ସମାଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମନୀଷ ଶିଶୋଦିଆ। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଟିକା ଉପଲବ୍ଧତାର ପ୍ରକୃତ ସ୍ଥିତି ଲୁଚାଇବା ପରିବର୍ତ୍ତେ କେନ୍ଦ୍ର ସରକାର ସମସ୍ତଙ୍କୁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଣ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଦିଲ୍ଲୀ ଡେପୁଟି ସିଏମ ମନୀଷ ସିସୋଦିଆ କହିଛନ୍ତି । ଅପରିପକ୍ଷେ ଅନଧିକୃତ ବ୍ୟବସାୟିକ ଉଦ୍ଦେଶ୍ୟରେ ଇଭିଏନ୍ ତଥ୍ୟର କୌଣସି ଅପବ୍ୟବହାରକୁ ରୋକିବା ହେଉଛି କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସିସୋଦିଆ ସ୍ପଷ୍ଟ କରିଛନ୍ତି ।

Related Posts