ନିୟନ୍ତ୍ରଣ ହରାଇଛନ୍ତି ଯୋଗୀ ଆଦିତ୍ୟନାଥ , ୟୁପି ଓ ଦିଲ୍ଲୀ ମଧ୍ୟରେ ଦେଖାଦେଇଥିବା ତିକ୍ତତା ହେଉଛି ଏହାର ସଙ୍କେତ : ଅଖିଳେଶ ଯାଦବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗାମୀ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଶିବିରରେ ଏବେ ଅସ୍ଥିରତା ଦେଖାଦେଇଛି। ଲକ୍ଷ୍ନୌରେ ପାର୍ଟିର ଘନ ଘନ ବୈଠକ ସାଙ୍ଗକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଦିଲ୍ଲୀ ଗସ୍ତ ଏବଂ ମୋଦୀ – ଶାହଙ୍କ ସହ ବୈଠକକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଏସବୁ ମଧ୍ୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଯୋଗୀ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି,’ ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଦେଖାଦେଇଥିବା ତିକ୍ତତା ଶାସନ କ୍ଷମତା ପାଇଁ ଏକ ନୂତନ ସଙ୍କଟ ‘। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ ଉତ୍ତରପ୍ରଦେଶ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ସାଙ୍ଗକୁ ଏକ ରାଜନୈତିକ ସଂକ୍ରମଣରେ ମଧ୍ୟ ପୀଡିତ। ବିଜେପି ସରକାରର ଶାସନ କ୍ଷମତାରେ ଖୁବ୍ କମ୍ ସମୟ ବାକି ଅଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନିୟନ୍ତ୍ରଣ ହରାଉଛନ୍ତି। ଯେଉଁଭଳି ଭାବରେ ଦିଲ୍ଲୀ ଏବଂ ଲକ୍ଷ୍ନୌ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି ଏହା ଏକ ନୂଆ ସଙ୍କଟର ସଙ୍କେତ ଭଳି ଲାଗୁଛି । ସରକାର ଫେଲ୍ ମାରିଛନ୍ତି ଏବଂ ସିଏମ୍ ଦିଲ୍ଲୀ ଦୌଡୁଛନ୍ତି । ରାଜ୍ୟବାସୀ ଏବେ ସତ୍ୟ ବିଷୟରେ ଅବଗତ ଅଛନ୍ତି। ” ସପା ପ୍ରମୁଖ କହିଛନ୍ତି ଯେ, “ଏଥିରେ କୌଣସି ସନ୍ଦେହ ନାହିଁ ଯେ ରାଜନୈତିକ ସଂକ୍ରମଣ ବିସ୍ତାର କରିବାରେ ବିଜେପି ସାହାଯ୍ୟ କରିଛି। ସାମ୍ପ୍ରଦାୟିକ ଭିତ୍ତିରେ ପ୍ରଶାସନ ଚଳାଇବାକୁ ବିଜେପି ଚେଷ୍ଟା ଚଳାଇଛି। ଏବଂ ସରକାର ବିରୋଧୀ ଦଳର ନେତାଙ୍କ ବିରୋଧରେ ଅଭିଯାନ ଚଳାଇଛନ୍ତି। ” ଅଖିଳେଶ କହିଛନ୍ତି, “ ବିଜେପି ନେତା ମାନେ କୋଭିଡ ପ୍ରୋଟୋକଲକୁ ଉଲ୍ଲଂଘନ କରୁଛନ୍ତି କିନ୍ତୁ ପ୍ରଶାସନ ଅନ୍ଧ ପାଲଟିଯାଇଛି। ମେରଟରେ ଜଣେ ବିଜେପି ନେତା ହୋର୍ଡିଂ ଲଗାଇ କହିଛନ୍ତି ଯେ ଯଦି ଆପଣ ସୁସ୍ଥ ଅଛନ୍ତି, ତେବେ ମାସ୍କ ପିନ୍ଧନ୍ତୁ ନାହିଁ। ଯେଉଁମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଦିତ୍ ବୋଲି ଅଖିଳେଶ କହିଛନ୍ତି ।

Related Posts