
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ କିଛି କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଲାଣି। ତେବେ ଏହାରି ମଧ୍ୟରେ ଖବର ଆସୁଛି ଯେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୨ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାଟକୁରା ଥାନା ଅନ୍ତର୍ଗତ ବଡ଼ ବେତରା ଗାଁରେ । ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ପଡ଼ି ଅଭୟ ମହାପାତ୍ର ନାମକ ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେହିପରି ଡେରାବିଶର ଢିହସାହିରେ କାନ୍ଥ ଭୁଶୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ନାଁ ହେଉଛି ନର୍ମଦା ପୃଷ୍ଟି (୬୦) । ସୂଚନାଯୋଗ୍ୟ ଯେ, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି ।
ତେଣୁ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ଗୁଡ଼ିକରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବଡ଼ ବର୍ଷା ଯୋଗୁଁ ସହରତଳୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ ଏବଂ ପାହାଡ଼ିଆ ଅଞ୍ଚଳରେ ମାଟି ଧସିବା, ରାସ୍ତା ଧୋଇଯିବା, ମାଟି ଘର ଭାଙ୍ଗିବା ପରି ସମସ୍ୟା ଦେଖାଯିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ବର୍ଷାର ସ୍ଥିତି ଉପରେ ନଜର ରଖିବାକୁ ବିଡିଓ, ତହସିଲଦାରମାନଙ୍କୁ ନିର୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ରେ ୩୦ରୁ ୪୦ କିମି ଏବଂ ସ୍ଥଳ ବିଶେଷରେ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ସାଧାରଣ ଲୋକଙ୍କୁ କୁହାଯାଇଛି ।
ଅପରପକ୍ଷରେ କଟକ ଓ ଭୁବନେଶ୍ୱର ସହରବାସୀଙ୍କୁ ଆସନ୍ତା ୬ ଘଣ୍ଟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଠାରେ ଘଣ୍ଟାକୁ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଥିବାର ସୂଚନା ମିଳିଛି । ଟ୍ବିନ୍ ସିଟିର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ଏଣୁ ଜଳ ନିଷ୍କାସନ ଲାଗି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।