(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ୧୨ଟି ଜିଲ୍ଲାରେ ଆଜି ଓ ଆସନ୍ତାକାଲି ପାଇଁ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସ୍କୁଲ ଛୁଟି ଘୋଷଣା ହୋଇଥିବା ଏହି ଜିଲ୍ଲା ଗୁଡ଼ିକ ହେଉଛି କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର, ବରଗଡ଼ ଓ ଜଗତସିଂହପୁର । ତେବେ ଏଠାରେ ସୂଚନା ଥାଉକି, କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲୁଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ , ଆଜି ଦିନ ତମାମ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ଏହି ଜିଲ୍ଲା ଗୁଡ଼ିକ ହେଉଛି – ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼।
ସେହିପରି ଗଭୀର ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ସମ୍ବଲପୁର, ଦେବଗଡ଼, ସୋନପୁର ଓ ବରଗଡ଼ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଅନୁଗୋଳ ଜିଲ୍ଲାରେ ବି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।
ଅପରପକ୍ଷରେ ରବିବାର ସକାଳ ସାଢ଼େ ୮ଟାରୁ ସୋମବାର ସକାଳ ସାଢ଼େ ୮ଟା ମଧ୍ୟରେ ଅର୍ଥାତ୍ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ୧୯୫ ମିମି, ପାରାଦୀପରେ ୨୧୯ ମିମି, ବାଲେଶ୍ୱରରେ ୨୪ ମିମି, ଗୋପାଳପୁରରେ ୬୪ ମିମି ଓ ଚାନ୍ଦବାଲିରେ ୪୬ ମିମି ବର୍ଷା ରେକର୍ଡ କରାଯାଇଛି।
ରାଜ୍ୟରେ ଅନେକ ଜିଲ୍ଲା ଗୁଡ଼ିକରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଅନ୍ୟପକ୍ଷରେ ଆଜି ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବାକୁ ଥିବାରୁ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି।