କେନ୍ଦ୍ରାପଡ଼ାରେ ଅଘଟଣ: ସାଙ୍ଗ ହୋଇ ଖେଳୁଥିବା ବେଳେ ଚାଲିଗଲା 2 ଶିଶୁ ଙ୍କ ଜୀବନ

କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଜାଗୁଳାଇପଡ଼ା ଗ୍ରାମ ପଞ୍ଚାୟତର ଡଙ୍କାରି ଗାଁର ଅଘଟଣ । ପୋଖରୀରେ ବୁଡି ଚାଲିଯାଇଛି 2 ଶିଶୁଙ୍କ ଜୀବନ । ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି । ମୃତକ ବିନୋଦ ପାତ୍ର ଓ ବିଦୁତି ପାତ୍ରଙ୍କ ୫ବର୍ଷର ଶିଶୁ ପୁତ୍ର ବାବୁନି ଏବଂ ଗଞ୍ଜା ଗାଁର ସୁକୁଦେବ ସାମଲ ଓ ଗିତାଞ୍ଜଳୀ ସାମଲଙ୍କ ୩ ବର୍ଷର ଶିଶୁ କନ୍ୟା ମାମୁନି ସାମଲ । ଏହି ଦୁଇ ଜଣ ଶିଶୁ ବିଦ୍ୟାଳୟରୁ ପାଠପଢ଼ା ସାରି ଘରକୁ ଫେରି ନିଜ ବାଡି ପଛପଟ ପୋଖରୀ ହୁଡ଼ାରେ ଦୌଡ଼ା ଦୌଡ଼ି ଖେଳୁଥିବା ବେଳେ ହଠାତ ବାବୁନିର ଗୋଡ଼ ଖସିଯାଇଥିଲା ତାକୁ ଉଦ୍ଧାର କରିବାକୁ ଯାଇ ଶିଶୁ କନ୍ୟା ମାମୁନି ମଧ୍ୟ ପୋଖରୀ ଭିତରେ ବୁଡ଼ି ଯାଇଥିଲା । ଫଳରେ ଦୁଇଜଣ ଶିଶୁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି ।

ଘର ଲୋକ ଓ ଗାଁ ଲୋକମାନେ ଅନେକ ଖୋଜାଖୋଜି କରିବା ପରେ ଶେଷରେ ଦୁଇ ଶିଶୁ ପେଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଏ ବିଷୟରେ ରାଜକନିକା ଅଗ୍ନୀଶମ ବିଭାଗକୁ ଜଣାଇଥିଲେ । ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଦୁଇ ଶିଶୁଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ । ପରେ ଗାଁ ଲୋକ ଓ ପରିବାର ଲୋକ ଦୁଇ ଜଣ ଶିଶୁଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଡାକ୍ତରଖାନାରେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଜନ ସାଧାରଣଙ୍କ ଭିଡ଼ ଲାଗିରହିଛି। ମୃତ୍ୟୁବରଣ କରିଥିବା ଦୁଇ ଶିଶୁ ସମ୍ପର୍କରେ ମାମୁଁ ପୁଅ ଓ ପିଉସି ଝିଅ ଅଟନ୍ତି।

ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ରାଜକନିକା ଥାନାର ଏସ୍ଆଇ କାନନ ବାଳା ସାହୁ ଏବଂ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ଏବଂ ମୃତ ଦୁଇ ଶିଶୁଙ୍କ ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ଆଳିକୁ ପଠାଇଛନ୍ତି। ମୃତ ଶିଶୁଙ୍କ ପରିବାରକୁ କ୍ଷତିପୂରଣ ଓ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ରାଜକନିକା ଅଞ୍ଚଳବାସୀ ଦାବି କରିଛନ୍ତି ।

Related Posts