‘ପ୍ରଶାସନିକ କାର୍ଯ୍ୟ ବାଦ୍ ବେପାରରେ ବ୍ୟସ୍ତ ରହୁଛନ୍ତି କେନ୍ଦୁଝର ଜିଲ୍ଲାପାଳ’; ୬ ବର୍ଷ ହେଲା ବଦଳି ହୋଇନଥିବା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ୬ ବର୍ଷ ହେଲା କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କର ବଦଳି ହୋଇନାହିଁ । ସେହିଭଳି ଆଇଏଏସ୍‌ ଅଧିକାରୀ ଜି ମାଥିଭାଥନନ୍‌ ନଗର ଉନ୍ନୟନ ବିଭାଗରେ ୯ ବର୍ଷ ରହିଲେଣି। ବୀର ବିକ୍ରମ ଯାଦବ ଯୋଗାଣ ବିଭାଗରେ ୬ ବର୍ଷ ହେଲା ଅଛନ୍ତି। ଏହିଭଳି ଅନେକ ଅଧିକାରୀ ଏକାଧିକ ବର୍ଷ ଧରି ଗୋଟିଏ ବିଭାଗ ଓ ଜିଲ୍ଲାରେ ରହିଥିବାବେଳେ ଏମାନଙ୍କୁ କାହିଁକି ବଦଳି କରାଯାଉ ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧି।

ଗୁରୁବାର ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗରେ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ। ସେ କହିଥିଲେ, ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ। ଗୁରୁତ୍ବପୂର୍ଣ୍ଣ ପଦବିରେ ଦୀର୍ଘ ଦିନ ଧରି ‌ଜଣେ ଅଫିସର ରହିଲେ ଅନେକ ସମସ୍ୟା ସୃଷ୍ଟି ହୁଏ। କ୍ଷମତାର ଅପବ୍ୟବହାର କରିବାର ସୁଯୋଗ ସୃଷ୍ଟି ହୁଏ। ତେଣୁ ନିୟମିତ ବ୍ୟବଧାନରେ ଏମାନଙ୍କୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାପାଳ ୬ ବର୍ଷ ହେଲା ଗୋଟିଏ ଜାଗାରେ ଅଛନ୍ତି। କେନ୍ଦୁଝର ଜିଲ୍ଲାପାଳ ପ୍ରଶାସନିକ କାର୍ଯ୍ୟ ବାଦ୍ ଅନ୍ୟ ସବୁ କାମରେ ବିଶେଷ କରି ବେପାରରେ ବ୍ୟସ୍ତ ରହୁଛନ୍ତି। ଏହି ଗୃହ‌ରେ ପୂର୍ବରୁ ପଚରା‌ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସରକାର ଦର୍ଶାଇଛନ୍ତି ଯେ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ୯ ବର୍ଷ ହେଲା ସେହି ଗୋଟିଏ ଜାଗାରେ ଅଛନ୍ତି। ଯୋଗାଣ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ୨୦୧୭ରୁ ସେଠାରେ ଅଛନ୍ତି। ପୁଣି ତାଙ୍କୁ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ, ପୂର୍ତ୍ତ ସଚିବ, ପଣ୍ୟାଗାର ନିଗମ ଅଧ୍ୟକ୍ଷ ଆଦି ବହୁ ଗୁରୁତ୍ବପୂର୍ଣ୍ଣ ପଦବିର ଅତିରିକ୍ତ ଦାୟିତ୍ବ ତାଙ୍କୁ ଦିଆଯାଇଛି। ସେମିତି ପଞ୍ଚାୟତିରାଜ ବିଭାଗର ସଚିବ ସୁଶୀଲ ଲୋହାନି ଓ ଆଇପିଏସ୍‌ ଅରୁଣ ବୋଥ୍ରା ମଧ୍ୟ ଏକାଧିକ ପଦବିରେ ଅଛନ୍ତି। ଗୋଟିଏ ଗୋଟିଏ ଜାଗାରେ ଜଣେ ଲୋକଙ୍କୁ ଏତେ ଦିନ ରଖାଯାଉଛି କିପରି? ଏଇଟା କ’ଣ ମୋ ସରକାର? ଏଇଟା କ’ଣ ୫-ଟି? ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ଏହାର ସ୍ବଷ୍ଟୀକରଣ ଦିଅନ୍ତୁ। ବାଚସ୍ପତି ଏ ନେଇ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଥିଲେ।

ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ନଗର ଉନ୍ନୟନ ବିଭାଗର ସଚିବଙ୍କ ପ୍ରସଙ୍ଗ ଉଠାଇ ସେ କହିଥିଲେ, ଜଣେ ସଚିବ ଗୋଟିଏ ବିଭାଗରେ ୯ ବର୍ଷ ରହିବେ କେମିତି? ସେ ମହୋଦୟ ବିଧାୟକମାନଙ୍କ ଫୋନ୍ ରିସିଭ୍ କରନ୍ତି ନାହିଁ। ବୁକ୍ ସର୍କୁଲାର୍‌-୪୭ ଚୁଲିକୁ ଯାଉ। ସେ କାହାକୁ ଖାତିର କରନ୍ତି ନାହିଁ, କାହା କଥା ଶୁଣନ୍ତି ନାହିଁ। ସେ ବହୁତ ଜିଦ୍‌ଖୋର। ସେହିପରି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ସରକାର ନିଯୁକ୍ତି ଦେବା ଦରକାର। କିନ୍ତୁ ଜଣେ ବ୍ୟକ୍ତି ମୁଖ୍ୟ ପ୍ରଶାସକ ରହି କିପରି ଏତେ ଦିନ ଯୋଗାଣ ବିଭାଗରେ ରହିଛନ୍ତି? ସୁପ୍ରିମକୋର୍ଟଙ୍କ ରାୟକୁ ସରକାର କାହିଁକି ଉଲ୍ଲଂଘନ କରୁଛନ୍ତି? ଗୋଟିଏ ଜାଗାରେ ଏତେ ବର୍ଷ ଧରି ଅଫିସରମାନେ ରହୁଛନ୍ତି କିପରି? କେନ୍ଦୁଝର ଜିଲ୍ଲାପାଳଙ୍କ କଥା ନ କହିବା ଭଲ। ସେଠି ମାଲ୍‌ ଅଛି, ଖଣି ଅଛି, ତେଣୁ ତାଙ୍କୁ ବଦଳାଯିବନି। କାରଣ ଏ ସରକାର ଖଣି ପଇସାରେ ଚାଲିଛି ବୋଲି ନରସିଂହ କହିଛନ୍ତି ।

ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଯଦି ଅଫିସରମାନେ ଭଲ କାମ କରୁଛନ୍ତି ତେବେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରଖିବାରେ ଅସୁବିଧା କ’ଣ? ଏଥିରେ କୌଣସି କ୍ଷତି ନାହିଁ ବୋଲି ପ୍ରମିଳା କହିଛନ୍ତି।

Related Posts