
ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ସରକାରୀ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଋଣ ଯୋଗାଇ ଦେବେ ରାଜ୍ୟ ସରକାର। ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଗାଇଡ୍ଲାଇନ୍ ଦିଆଯାଇଥିବା ସୂଚନା ଅନୁସାରେ, ସରକାରୀ କର୍ମଚାରୀ ଇ-ଯାନ କିଣିବାକୁ ବିନା ସୁଧରେ ଅଗ୍ରୀମ ଋଣ ପାଇବେ।
ଦୁଇ ଚକିଆ ହେଉ କିମ୍ବା ଚାରି ଚକିଆ ଗୋଟିଏ ଇ-ଯାନ କିଣିବାକୁ ଋଣ ଯୋଗାଇ ଦିଆଯିବ। ହେଲେ ଇ-ଯାନ କିଣିବାକୁ ଋଣ ନେଇ ଅଲଗା କାମରେ ଲଗାଇଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି। ଏହି ସୁବିଧା ୨୦୨୫ ଡିସେମ୍ୱର ୩୧ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି କୁହାଯାଇଛି।
ଗାଇଡ୍ଲାଇନରେ ଥିବା ସୂଚନା ଅନୁସାରେ, ଗ୍ରୁପ ‘ଏ’ ଓ ଗ୍ରୁପ୍ ‘ବି’ ସରକାରୀ କର୍ମଚାରୀମାନେ ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଗାଡ଼ି ଦାମର ୭୫ ପ୍ରତିଶତ ଆଡଭାନ୍ସ ନେଇପାରିବେ। ତେବେ କର୍ମଚାରୀମାନେ କେବଳ ୧୫ ଲକ୍ଷ ଟଙ୍କା ଭିତରେ ଇ-ଯାନ କିଣିବେ ତା ଠାରୁ ଅଧିକ ନୁହେଁ। ସେହିପରି ଗ୍ରୁପ ‘ସି’ ଓ ଗ୍ରୁପ୍ ‘ଡି’ କର୍ମଚାରୀ, ଦୁଇଚକିଆ ଗାଡ଼ି କିଣିବାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି। ତେବେ କେବଳ ଗୋଟିଏ ଗାଡ଼ି ପାଇଁ ଏହି ଆଡଭାନ୍ସ ମିଳିପାରିବ।
ଆଗୁଆ ନେଇଥିବା ଋଣକୁ କର୍ମଚାରୀ ୧୦୦ଟି କିସ୍ତିରେ ପରିଶୋଧ କରିପାରିବେ, ଯେପରି ଅବସର ଗ୍ରହଣ କରିବାର ବର୍ଷକ ପୂର୍ବରୁ ସମସ୍ତ ଅର୍ଥ ଆଦାୟ ହୋଇପାରିବ। ଯଦି ଅବସର ପୂର୍ବରୁ ଚାକିରି ଛାଡ଼ିବେ ତେବେ ତାଙ୍କର ଅବସରକାଳୀନ ପ୍ରାପ୍ୟରୁ ଆଦାୟ କରାଯିବ। କର୍ମଚାରୀମାନେ ଚାହିଁଲେ ଏକସଙ୍ଗେ ଅବା ଆଗୁଆ ଅର୍ଥ ଫେରସ୍ତ କରିପାରିବେ। ଅଗ୍ରୀମ ନେଇଥିବା କର୍ମଚାରୀ ତିନି ମାସ ଭିତରେ ଗାଡ଼ିର ପଞ୍ଜୀକରଣ, ବୀମା ଓ ଡିଲର୍ ରସିଦ୍ ଦାଖଲ କରିବାକୁ କୁହାଯାଇଛି।